ଆଜି ଅପରାହ୍ନରେ ଆନ୍ଧ୍ର ଓ ଚେନ୍ନାଇର ମଝିରେ ଲ୍ୟାଣ୍ଡ ଫଲ୍ କରିବ “ଭର୍ଦା’: ତାମିଲନାଡୁ ଓ ଆନ୍ଧ୍ରରେ ହାଇଆଲର୍ଟ ଜାରି

32

କନକ ବ୍ୟୁରୋ : ଘନୀଭୁତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ଭର୍ଦା’ । ଓଡିଶା ଉପରୁ ବାତ୍ୟାର ଭୟ ଟଳି ଯାଇଥିବା ବେଳେ ଏହା ଆନ୍ଧ୍ର ଓ ତାମିଲନାଡୁ ମୁହାଁ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଆଜି ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ଆନ୍ଧ୍ରପ୍ରଦେଶର ନେଲାର ଓ ତାମିଲନାଡୁର ଚେନ୍ନାଇ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ “ଭର୍ଦା’ ବର୍ତ୍ତମାନ ନେଲୋର ଠାରୁ ୨୨୦ କିମି ଦୂରରେ ଥିବା ବେଳେ ଚେନ୍ନାଇଠାରୁ ୧୫୦ କିମି ଦୂରରେ ରହିଛି ।

“ଭର୍ଦା’ର ମୁକାବିଲା ପାଇଁ ତାମିଲନାଡୁକୁ ଏନଡିଆରଏଫର ୭ଟି ଟିମ୍ ଯାଇଥିବା ବେଳେ ଆନ୍ଧ୍ରପ୍ରଦେଶକୁ ୬ଟି ଟିମ୍ ପଠାଯାଇଛି । ଭାରତୀୟ ବାୟୁସେନାକୁ ମଧ୍ୟ ସତର୍କ କରିଦିଆଯିବା ସହ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ତାମିଲନାଡୁରେ ମତ୍ସ୍ୟଜିବୀମାନଙ୍କୁ ଆଗାମୀ ୪୮ ଘଂଟା ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ତାମିଲନାଡୁରେ ସୋମବାର ଦିନ ଛୁଟି ଘୋଷଣା କରାଯାଇଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଆନ୍ଧ୍ରପ୍ରଦେଶର ନେଲୋରଠାରୁ ମ଼ଛଲିପଟନମ ପର୍ଯ୍ୟନ୍ତ ତଟବର୍ତ୍ତୀ ଅଂଚଳରେ ସତର୍କ ଦୃଷ୍ଟି ରଖାଯାଇଛି । ବାତ୍ୟା “ଭର୍ଦା’ ଉପକୂଳରେ ପହଂଚିବା ବେଳକୁ ସାମାନ୍ୟ ଦୁର୍ବଳ ହେବ ବୋଲି ମଧ୍ୟ ପୂର୍ବାନୁମାନ କରିଛି ଆଇଏମଡି ।