୬ ଘଣ୍ଟା ମଧ୍ୟରେ ବାତ୍ୟା , ୨୩ କିଲୋମିଟର ବେଗରେ ଓଡିଶା ଆଡକୁ ମୁହାଁଉଛି ।

252

କନକ ବ୍ୟୁରୋ : ଓଡିଶା ଆଡକୁ ମୁହାଁଉଛି ବାତ୍ୟା ‘ଡାଏ’ । ସମୟ ବିତିବା ସହ ଓଡିଶା ଉପକୂଳ ଆଡକୁ ମୁହାଁଉଛି ଡାଏ । ଘଣ୍ଟାକୁ ୨୩ କିଲୋମିଟର ବେଗରେ ଗତି କରୁଥିବା ଡାଏ ମଧ୍ୟରାତ୍ର ସୁଦ୍ଧା ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହେବା ପରେ ଏବେ ଏହା ଉପକୂଳ ଆଡକୁ ମୁହାଁଉଛି । । ଏହା ଏବେ ଗୋପାଳପୁରଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଠାରୁ ୧୭୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତର ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ ଏବଂ ପୁରୀ ଦେଇ ଗତି କରିପାରେ । ଏଥିସହ ଗୋପାଳପୁରରେ ଏହା ଭୁପୃ୍ଷ୍ଠକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରରୁ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶାର ୫ଟି ଜିଲ୍ଲା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଝଡ ବାତ୍ୟା ନେଇ ୯ଟି ରାଜ୍ୟ ସମେତ ଓଡିଶାର କେତେକ ଜିଲ୍ଲା ପ୍ରବଳ ବର୍ଷା ନେଇ ସତର୍କ କରାଇ ଦିଆଯାଇଛି । ସ୍ଥିତି ଉପରେ ନଜର ରଖିବା ପାଇଁ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସତର୍କ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଝଡବାତ୍ୟାକୁ ଦୃଷ୍ଟିରେ ରଖି ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଂଜାମ ଓ ପୁରୀ ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏହା ସେତେ ବଡ ବାତ୍ୟା ନୁହେଁ , ତେବେ ପ୍ରଶାସନ ଏହାର ମୁକାବିଲା ପାଇଁ ସଜାଗ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସମୂଦ୍ର ଅଶାନ୍ତ ଥିବାରୁ ଉଭୟ ଓଡ଼ିଶା ଏବଂ ଆନ୍ଧ ପ୍ରଦେଶର ତଟ୍ଟ ସୁରକ୍ଷାକର୍ମୀଙ୍କୁ ସତର୍କ କରାଇ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉତର ଆନ୍ଧ୍ର ପ୍ରଦେଶରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶା, ଅଭ୍ୟନ୍ତରୀଣ ଆନ୍ଧପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନ ର ଅନେକ ସ୍ଥାନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏସବୁ ଭିତରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇ ଉଠିଛି । ଖାସକରି ଯେଉଁ ୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ପରିସ୍ଥିତି ପାଇଁ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଓ ବ୍ଲକ ଲେବଲ କଣ୍ଟ୍ରୋଲ ରୁମ ଏହି ସମୟରେ ଆକ୍ଟିଭ ରଖିବା ସହ ବାତ୍ୟା ବେଳେ ସ୍ଥିତି ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ତେବେ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।