ଓଡିଶା ଉପକୂଳରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ବୋହିଲା ପବନ । ରାଜ୍ୟର ୪ଟି ଜିଲ୍ଲାରେ କ୍ଷୟକ୍ଷତି । କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ, ଉପୁଡି ପଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଂଟ ।

580

କନକ ବ୍ୟୁରୋ: ସମୁଦ୍ର ଭିତରୁ ଉପକୂଳ ଦେଇ ବାତ୍ୟା ଆଗକୁ ଆଗକୁ ବଢୁଥିଲା , ଆଉ ରାସ୍ତାରେ ରଚିଚାଲିଥିଲା ଧ୍ୱଂସର ତାଣ୍ଡବ ଲୀଳା । ଆଗରେ ଯାହା ବି ଆସୁଥିଲା ତାକୁ ନଷ୍ଟ କରିଚାଲିଥିଲା । କ୍ଷଣକ ମଧ୍ୟରେ ଖିନଭିନ ହୋଇଯାଇଥିଲା ଚାଳ ଛପର ଘର । ବଡ ବଡ ଗଛ ମାଟି ତଳୁ ଉପୁଡି ପଡିଥିଲା । ଆଉ ମାଡି ବସିଥିଲା ଆଖ ପାଖରେ ଥିବା ଘର ଉପରେ । ଆଖି ପିଛୁଳାକେ ଧ୍ୱଂସ ପାଲଟିଯାଉଥିଲା ଘରଦ୍ୱାର ।

ମାଟିରେ ମିଶିଯାଇଥିଲା ମାଟିର ଘର । ବର୍ଷା ଧୋଇନେଇଥିଲା ମାଟି କାନ୍ଥକୁ । ଆଉ ଦେଖୁ ଦେଖୁ ଘର ବି ଭୁଶୁଡି ପଡିଥିଲା । କେଉଁଠି ଚାଳ ଛପର ଘର ତ ଆଉ କେଉଁଠି ଟିଣ ଘର । ଆଜବେଷ୍ଟସ ଭାଂଗି ଚୁରମାର ହୋଇଯାଉଥିଲା । ପବନର ପ୍ରବଳ ମାଡରେ ଧରାଶାୟୀ ହୋଇଯାଇଥିଲା ବର୍ଷ ବର୍ଷର ବିଶାଳ ଗଛ ।

ଉପକୂଳରେ ସମୁଦ୍ର ଗର୍ଜନ କରି ସ୍ଥଳଭାଗକୁ ମାଡିଆସିଥିଲା । ଭାସିଯାଇଥିଲା ମତ୍ସ୍ୟଜୀବୀଙ୍କ ମାଛ ଧରା ଡଙ୍ଗା । ଜୁଆର ମାଡ ଏତେ ତୀବ୍ର ଥିଲା ଯେ, ଡଙ୍ଗା ଓଲଟିପଡିଥିଲା । ଯେଉଁ ଯେଉଁ ଅଂଚଳ ଦେଇ ବାତ୍ୟା ଗତି କରୁଥିଲା ସେହି ସେହି ଅଂଚଳରେ ଥିବା ଗଛ, ମୋଡି ମୋକଚି ହୋଇ ନଇଁ ପଡୁଥିଲା । କେଉଁଠି ଡାଳ ଭାଂଗି ପଡୁଥିଲା ତ ଆଉ କେଉଁଠି ଗଛ, ମୂଳରୁ ଉପୁଡିପଡୁଥିଲା ।

ପବନର ପ୍ରବଳ ବେଗ ଆଗରେ ଆଂଠେଇ ପଡିଥିଲା ବିରାଟକାୟ ଗଛ । ପବନ ସାଙ୍ଗକୁ ଲଗାଣ ବର୍ଷା ପରେ ଗାଁ ଭିତରକୁ ପଶିଆସିଥିଲା ନଦୀର ଜୁଆରିଆ ପାଣି । ପାଟଶାଳା ନଦୀର ପାଣି କେନ୍ଦ୍ରାପଡା ପୁରୁଷୋତମପୁର ଗାଁ ନିକଟରେ ଥିବା ଲୁଣା ଘେରି ବନ୍ଧ ଡେଇଁ ଗାଁ ଭିତରକୁ ମାଡି ଆସିଛି । ପାଣି ଭିତରେ ଫଶି ରହିଛନ୍ତି ଗାଁର ୬୦ରୁ ଅଧିକ ପରିବାର । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଯୋଗୁଁ ଗାଁ ଭିତରକୁ ମାଡିଆସିଛି ସମୁଦ୍ରର ଜୁଆର ପାଣି । ଫଳରେ କେନ୍ଦ୍ରାପଡା ଖରିନାସୀ ପଂଚାୟତର ୪୦ଟି ପରିବାର ପାଣି ଘେରରେ ଫଶିଯାଇଛନ୍ତି । ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଶତାଧିକ ଲୋକ ।

କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ତାଣ୍ଡବ ରଚି, ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ତେବେ ଓଡିଶାରେ ଅମ୍ପାନ ଛାଡିଯାଇଥିବା କ୍ଷତ ଶୁଖିବାକୁ ଅନେକ ଦିନ ଲାଗିଯିବ ।