‘ବାୟୁ’ ପ୍ରଭାବରେ ଗୁଜରାଟରେ ପ୍ରବଳ ବେଗରେ ବହୁଛି ପବନ : ସମୁଦ୍ର ଅଶାନ୍ତ ରହିବା ସହ ବର୍ଷା ଜୋର, ଉପକୂଳବର୍ତ୍ତୀ ଅଞ୍ଚଳରେ ଆଲର୍ଟ

216

କନକ ବ୍ୟୁରୋ : ବାତ୍ୟା ବାୟୁ ପ୍ରଭାବରେ ଗୁଜରାଟର ଉପକୂଳବର୍ତ୍ତୀ ଅଂଚଳରେ ପ୍ରବଳ ବେଗରେ ପବନ ବହିବା ସହ ଜୋରରେ ବର୍ଷା ହେଉଛି । ସମୁଦ୍ର ଅଶାନ୍ତ ହୋଇ ସୁଁ ସୁଁ ଗର୍ଜନ କରୁଛି । ତେବେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ବାୟୁ ଗୁଜରାଟରେ ମାଡ଼ କରିବ ନାହଇଁ । ୱେରୱାଲ, ପୋରବନ୍ଦର, ଦ୍ୱାରକା ପାଖ ଦେଇ ବାୟୁ ଗତି କରିବ ବୋଲି ସୂଚନା ମିଳିଛି । ବାତ୍ୟାର ପ୍ରବାଭ ଉପକୂଳବର୍ତ୍ତୀ ଅଂଚଳରେ ହିଁ ଏହାର ପ୍ରଭାବ ଦେଖିବାପାଇଁ ମିଳିବ ।

ବାତ୍ୟାକୁ ନେଇ ପ୍ରଶାସନ ଆଲର୍ଟ ରହିଛି । ଗତକାଲି ବିଳମ୍ବିତ ରାତିରେ ବାତ୍ୟା ବାୟୁ ସାମାନ୍ୟ ଦିଗ ପରିବତ୍ତନ କରିଛି । ପୋରବନ୍ଦର ଉପକୂଳରେ ସମୁଦ୍ରରେ ବିଶାଳକାୟ ଜୁଆର ଦେଖିବାକୁ ମିଳିଛି । ସେପଟେ ୫ଟି ବିମାନ ବନ୍ଦରରେ ବିମାନ ଉଡାଣ ବନ୍ଦ କରାଯିବା ସହ ଟ୍ରେନ ରଦ୍ଦ କରାଯାଇଛି । ୟକେତେକ ଅଂଚଳରେ ମତ୍ସ୍ୟଜୀବୀ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ମନା କରୁଛନ୍ତି । ଫଳରେ ପ୍ରଶାସନ ପାଇଁ ଏହା ଚିନ୍ତା ବଢାଇ ଦେଇଛି ।

ମିଳିଥିବା ସୂଚନା ଅନୁସାରେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ସାରିଲେଣି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଦୁଇ ଦିନ ପାଇଁ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଏପଟେ ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାମ ପାଇଁ ଏକ ବଡ ଧରଣର ଅପରେସନ ଚାଲୁଅଛି । ଏଥିରେ ଏନଡିଆରଏଫର ୫୨ଟି ଟିମ୍, ଏସଡିଆରଏଫର ୯ଟି ଟିମ ସହ ଏସଆରପିର ୧୪ଟି କମ୍ପାନୀ, ୩୦୦ ତଟରକ୍ଷୀ କମାଣ୍ଡୋ ନିୟୋଜିତ ହୋଇଛନ୍ତି । ଏହାସହ ୯ଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି । ବାତ୍ୟା ବାୟୁ ଯୋଗୁଁ ଗୁଜରାଟ, ଉତର ମହାରାଷ୍ଟ୍ର, ଗୋଆ ଆଦି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ସମୁଦ୍ର ଅଶାନ୍ତ ହୋଇଥିବାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।