ମାଡିଆସୁଛି ବାତ୍ୟା ‘ବାୟୁ’ । ଜୁନ୧୩ ସୁଦ୍ଧା ସୌରାଷ୍ଟ୍ର ଉପକୂଳରେ ହେବ ମାଡ଼, ସ୍ଥଳଭାଗକୁ ଛୁଇଁଲା ବେଳେ ଘଂଟାପ୍ରତି ୧୧୦ରୁ ୧୩୫ କିମି ବେଗରେ ବହିବ ପବନ ।

395

କନକ ବ୍ୟୁରୋ : କିଛି ଦିନ ପୂର୍ବେ ସାମୁଦ୍ରିକ ଝଡ ଫୋନିର ତାଣ୍ଡବ ଦେଖିଥିଲା ଭାରତ । ଏବେ ପୁଣି ଏକ ସାମୁଦ୍ରିକ ବାତ୍ୟା ବାୟୁ ଭାରତର ପଶ୍ଚିମ ଉପକୂଳ ଅଂଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି । ଗୁଜୁରାଟ ମୁହାଁ ହୋଇଥିବା ଏହି ସାମୁଦ୍ରିକ ଝଡ ବାୟୁକୁ ନେଇ ଅଲର୍ଟ ଜାରି କରାଯାଇଛି । ଜୁନ ୧୨ ରୁ ୧୩ ତାରିଖ ଭିତରେ ବାତ୍ୟା ବାୟୁ ସୌରାଷ୍ଟ୍ର ଉପକୂଳରେ ମାଡ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ।

ଗୁଜୁରାଟ ମୁହାଁ ସାମୁଦ୍ରିକ ଝଡ ‘ବାୟୁ’ । ‘ଫୋନି’ ପରେ ଆସୁଛି ସାମୁଦ୍ରିକ ଝଡ ‘ବାୟୁ’ । ସାରା ଦେଶ ଏବେ ଗରମରେ ସନ୍ତୁଳି ହେଉଛି । ଅନ୍ୟପଟେ ସାମୁଦ୍ରିକ ଝଡ ପଶ୍ଚିମ ଭାରତର ଚିନ୍ତା ବଢାଇ ଦେଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡର ନାମକରଣ କରିଛି ଭାରତ । ଯାହାର ନାମ ରଖାଯାଇଛି ‘ବାୟୁ’ । ଆଇଏମଡିର ସୂଚନା ଅନୁସାରେ ସାମୁଦ୍ରିକ ଝଡ ବାୟୁ ଏବେ ଗୁଜୁରାଟ ମୁହାଁ ହୋଇଛି । ଗୁଜୁରାଟ ଉପକୂଳରୁ ଏବେ ପ୍ରାୟ ୬୫୦ କିଲୋମିଟର ଦୂର ସମୁଦ୍ର ଭିତରେ ରହିଛି ଏହି ସାମୁଦ୍ରିକ ଝଡ । ଆଇଏମଡିର ଆକଳନ ଏହା ଆସନ୍ତା ୧୩ ତାରିଖ ସକାଳ ସୁଦ୍ଧା ସୌରାଷ୍ଟ୍ର ଉପକୂଳରେ ହିଟ୍ କରିବ । ସାମୁଦ୍ରିକ ଝଡ ସ୍ଥଳଭାଗକୁ ପ୍ରବେଶ ସମୟରେ ଘଂଟାପ୍ରତି ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିପାରେ । ସାମୁଦ୍ରିକ ଝଡର ଗତିବିଧିକୁ ଆଖିରେ ରଖି ଉପକୂଳ ବର୍ତି ଅଂଚଳରେ ଅରେଞ୍ଜ ଅଲର୍ଟ ଜାରି କରାଯାଇଛି ।

ଆଇଏମଡି ଦେଶର ପଶ୍ଚିମ ଉପକୂଳବର୍ତି ଅଂଚଳ ପାଇଁ ଆଲର୍ଟ ଜାରି କରିଛି । ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରେଇ ଦିଆଯାଇଛି । ମହାରାଷ୍ଟ୍ର, ଗୁଜୁରାଟ ଓ ଗୋଆ ଉପକୂଳରେ ଲୋକଙ୍କୁ ଆଲର୍ଟ କରାଯାଇ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସ୍ଥାନୀୟ ପ୍ରଶାସନ । ଗୁଜୁରାଟର- ଅହମ୍ମଦାବାଦ, ଗାନ୍ଧୀନଗର, ରାଜକୋଟ ସମେତ ଉପକୂଳବର୍ତି ଅଂଚଳରେ ସାମୁଦ୍ରିକ ଝଡ ଯୋଗୁଁ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତର ଗୁଜୁରାଟ ଉପକୂଳରେ ହିଟ୍ କରିବାକୁ ଥିବା ସାମୁଦ୍ରିକ ଝଡ ବାୟୁ ପାକିସ୍ତାନ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ହେଲେ ଝଡ ଯୋଗୁଁ ପାକିସ୍ତାନ ଉପକୂଳର ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ ବଢିଯିବ ବୋଲି ପାକିସ୍ତାନ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାକିସ୍ତାନ ଉପକୂଳରେ ଏବେ ତାପମାତ୍ରା ୩୫ ରୁ ୩୭ ଡିଗ୍ରୀ ରହିଛି, ଯାହା ୪୦ରୁ ୪୨ ଡିଗ୍ରୀ ସେଲସିୟସକୁ ବଢିପାରେ ବୋଲି ଆକଳନ କରାଯାଉଛି ।