ଚେନ୍ନାଇରେ ସାମୁଦ୍ରିକ ଝଡ ଭର୍ଦ୍ଦାର ତାଣ୍ଡବ : ପ୍ରବଳ ଝଡ ତୋଫାନ, ୧୦ଜଣଙ୍କ ମୃତ୍ୟୁ

138

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଭର୍ଦ୍ଦା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ରଚିଛି ତାଣ୍ଡବ । ଏହି ଝଡର ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଓ ପବନ ହୋଇଛି । ଭର୍ଦ୍ଦା ତାଣ୍ଡବରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିର ସେଲଭମ୍ । ବାତ୍ୟା ଭର୍ଦ୍ଦା ସ୍ଥଳଭାଗ ଛୁଇଁବା ବେଳେ ଘଂଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି ।

ଦକ୍ଷିଣ ଆନ୍ଧ୍ର ଓ ଉତର ତାମିଲନାଡୁ ବିଶେଷ ଭାବେ ପ୍ରଭାବିତ ହୋଇଛି । ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି । ସେପଟେ ସେନା, ନୋ÷ବାହିନୀ, ତଟରକ୍ଷୀ ବାହିନୀ ଓ ଏନଡିଆରଏଫ୍ ଟିମ୍ ପ୍ରଭାବିତ ଅଂଚଳରେ ଉଦ୍ଧାର କାମ ଜାରି ରଖିଛନ୍ତି । ଉପକୂଳ ବର୍ତୀ ଅଂଚଳ ହାଇଆଲର୍ଟ ଜାରି କରାଯାଇଛି ।

ଭର୍ଦ୍ଦାର ପ୍ରଭାବ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆହୁରି ଦୁଇ ଦିନ ରହିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ସମୁଦ୍ରକୂଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପ୍ରଭାବରୁ କିଛି ବିମାନ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।