ପାଖେଇ ଆସିଲାଣି ତିତଲି, ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଉପକୂଳ ଛୁଇଁବ । ୧୫୦ କିଲୋମିଟର ବେଗରେ ବହୁଛି ପବନ

54

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡକୁ ମୁହାଁଉଛି ତିତଲି । ଗୋପାଳପୁର ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ତିତଲି । ଆଉ କିଛି ସମୟ ମଧ୍ୟରେ ଏହା ଉପକୂଳ ଛୁଇଁବ । ଆଉ ଏହାର ପ୍ରଭାବରେ ଏବେଠାରୁ ଗୋପାଳପୁର ଠାରେ ଭୟଙ୍କର ପବନ ବହିବା ଆରମ୍ଭ ହୋଇଛି । ସମୁଦ୍ର କୂଳ ଅଞ୍ଚଳରେ ୧୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁଛି । ଏହାର ବେଗ ୧୬୫ କିଲୋମିଟର ବେଗ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାଛଡା ପ୍ରବଳ ବର୍ଷା ମଧ୍ୟ ଗୋପାଳପୁର ଠାରେ ଆରମ୍ଭ ହୋଇଛି ।

ଘଣ୍ଟାକୁ ୧୯ କିଲୋମିଟର ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ତିତଲି । ଏପରିକି ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’ । ତେବେ ସକାଳ ୮ଟା ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟରେ ଏହା ଉପକୂଳ ଛୁଇଁବ । ଏହାଛଡା ତିତଲିର ଆଖି ୧୫୦ କିଲୋମିଟର ବେଗରେ ଘୂର୍ଣ୍ଣିଭୂତ ହେଉଛି । ତେଣୁ ଉପକୂଳ ଆଡକୁ ତିତଲି ଯେତିକି ମାଡି ଆସୁଛି ତାହାର ପ୍ରକୋପ ସେତିକି ବୃଦ୍ଧି ପାଉଛି ।