ଟଳିଲା ବଡ ଧରଣର କ୍ଷୟକ୍ଷତି । ପଶ୍ଚିମବଙ୍ଗ ମୁହାଁ ‘ତିତଲି’ । କମିଲା ବାତ୍ୟାର ପ୍ରଭାବ ହେଲେ ବଢିବ ବର୍ଷାର ପରିମାଣ

13

କନକ ବ୍ୟୁରୋ: ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ତିତଲି। ଗୋପାଳପୁରରୁ ପଶ୍ଚିମବଙ୍ଗ ମୁହାଁ ହୋଇଛି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ତିତଲି । ପଲାସା ଓ ଶ୍ରୀକାକୁଲମ ଦେଇ ଗତି କଲା ବାତ୍ୟା । ଭୋର୍ ୪ଟା ୩୦ରୁ ୫ଟା ୩୦ ସମୟରେ ଏହା ଅତିକ୍ରମ କରିବା ସମୟରେ ୧୪୦ରୁ ୧୫୦ ଓ ସର୍ବାଧିକ ୧୬୫କିଲୋମିଟର ପବନର ବେଗ ରହିଥିଲା । ଏହାର ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୧୨୬କିଲୋମିଟର ପବନର ବେଗ ରହିଥିଲା । ପବନର ବେଗ ଘଟିବାରେ ଲାଗିଛି । ତିତଲି ପ୍ରଭାବରେ ଗୋପାଳପୁରରେ ୧୦୨କିଲୋମିଟର ବେଗରେ ପବନ ବୋହୁଛି । ଏହା ଏବେ ଘଂଟାପ୍ରତି ୧୯କିଲୋମିଟର ବେଗରେ ଏହା ଗତି କରୁଛି । ତେବେ ଦିନ ସାଢେ ୧୧ଟା ସୁଦ୍ଧା ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ ତିତଲି। ଏବଂ ଅପରାହ୍ନରେ ୬୦ରୁ ୭୦କିଲୋମିଟର ରହିବ ପବନର ଗତି । ଏହାର ପ୍ରଭାବରେ ଉପକୂଳବର୍ତୀ ଅଂଚଳରେ ଜାରି ରହିବ ବର୍ଷା । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୩ତାରିଖ ବେଳକୁ ଓଡ଼ିଶାରେ ସ୍ୱାଭାବିକ ହେବ ପାଣିପାଗ ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ସାମୁଦ୍ରିକ ଝଡ଼ ତିତଲିର ରୂପ ନେଇଥିଲା। ତିତଲି କ୍ରମଶଃ ଜଳଭାଗରେ ଅଧିକ ସମୟ ରହି ଶକ୍ତି ସଂଗ୍ରହ କରିବା ସହ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିଲା। ଏହା କ୍ରମଶଃ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଗୋପାଳପୁର ଦକ୍ଷିଣରେ ପଲାସା ନିକଟରେ ସ୍ଥଳଭାଗରେ ମାଡ଼ ହୋଇଛି। ଏବେ ଏହା ଏକ କର୍ଭ ନେଇ ଓଡ଼ିଶା ଉପରେ ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ ବୋଲି ପାଣିପାଗ ବିଭାଗ କହିଥିବାରୁ ଏହା ସମଗ୍ର ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି କୁହାଯାଇଛି।

ଆଜି ତିତଲି ଭୋର ୫ଟା ୨୫ ମିନିଟ୍ ସମୟରେ ପଲାସା-ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଛି। ସାମୁଦ୍ରିକ ଝଡ଼ ତିତଲିର ଆଖିର ଚତୁଃପାର୍ଶ୍ୱ ଅଞ୍ଚଳ ସ୍ଥଳଭାଗ ଛୁଇଁଥିବା ବେଳେ ସମଗ୍ର ତିତ୍ଲି ଜଳଭାଗ ଛାଡ଼ି ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଆସିବା ପାଇଁ ଆଉ କିଛି ସମୟ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ ତିତ୍ଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି। ତେବେ ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜବେଷ୍ଟସ୍ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହା ସହ ଭଞ୍ଜନଗର, ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଗଛ ଉପୁଡି ପଡିଲାଣି। ଅଟୋ, କାର ସମେତ କିଛି ଘର ମଧ୍ୟ ନଷ୍ଟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ବ୍ରହ୍ମପୁର ନୀଳକଣ୍ଠ ନଗରର ବିଦ୍ୟୁତ୍ ଟ୍ରାନ୍ସଫରମର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିସହିତ ଗଜପତି, କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ତିତ୍ଲି ପ୍ରଭାବରେ ରାସ୍ତାରେ ଗଛପଡି ରାସ୍ତା ଅବରୋଧ ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁରରେ ଶହ ଶହ ଯାନବାହନ ଅଟକି ରହିଛି। ସେହିପରି ୧୭ ବର୍ଷରୁ କମ୍ ଦଳର ଖୋ ଖୋ ଖେଳାଳି ରାୟଗଡ଼ା ଜିଲ୍ଲାର କେଉଁଝରରୁ ବସ୍ରେ ରାୟଗଡ଼ା ଫେରୁଥିବା ସମୟରେ ପ୍ରବଳ ବର୍ଷା ପବନ ଯୋଗୁଁ ବସ୍ରେ ଇଚ୍ଛାପୁର ନିକଟରେ ଫସି ରହିଛନ୍ତି।

Comments are closed.