ତିତଲି ନେଲା ୬୧ ଜୀବନ ! ସରକାର କହିଲେ ସଂପୂର୍ଣ୍ଣ ନଷ୍ଟ ହୋଇଛି ୫୭ ହଜାର ଘର , ୨୭୭୦ କୋଟିର କ୍ଷୟକ୍ଷତି ।

4

କନକ ବ୍ୟୁରୋ: ବଢ଼ିଲା ତିତଲି ମୃତ୍ୟୁ ସଂଖ୍ୟା । ତିତଲି ପ୍ରଭାବରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୧ ଟିରେ ପହଁଚିଲା । ଏନେଇ ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସରକାରଙ୍କ ରିପୋର୍ଟ ମୁତାବକ ବର୍ତ୍ତମାନ ସୁଦ୍ଧା ତିତଲୀ ଏବଂ ବନ୍ୟା ପ୍ରଭାବରେ ୬୧ଟି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୧୧ ଜଣଙ୍କ ଯାଞ୍ଚ ଚାଲିଛି । ତେବେ ମୃତକଙ୍କ ମଧ୍ୟରେ ୩ ଜଣ ଆନ୍ଧ୍ରର ମତ୍ସ୍ୟଜୀବୀ ଥିବା ଜଣା ପଡ଼ିଛି ।

ଅନ୍ୟପଟେ ସୋରଡ଼ା ଦାରିଙ୍ଗବାଡ଼ି ରାସ୍ତା ବ୍ୟତିତ ସବୁ ରାସ୍ତା ମରାମତି ଶେଷ ହୋଇଛି । ତିତଲି ଓ ପରବର୍ତ୍ତୀ ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଛି । ସେହିପରି ଗ୍ରାମାଞ୍ଚଳରେ ୭୫୦ ଟି ଗାଁକୁ ଜଳ ଯୋଗାଣ ସ୍ୱାଭାବିକ ହୋଇଥିବାବେଳେ ଗ୍ରାମାଞ୍ଚଳର ସମସ୍ତ ନଳକୂପ ଠିକ୍ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଗଜପତିକୁ ବାଦ୍ ଦେଲେ ଅନ୍ୟ ସବୁଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ମଧ୍ୟ ସ୍ୱାଭାବିକ ହୋଇଛି ।

ଏହାସହ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି । ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନରୁଦ୍ଧାର କାମ ଶେଷ ହୋଇଛି । କେବଳ ଦାରିଂବାଡିରେ ଚାଲିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସମସ୍ତ କ୍ଷତିଗ୍ରସ୍ତ ଅଂଚଳରେ ପିଇବା ପାଣିର ସୁବିଧା କରାଯାଇଛି । ଗଜପତିରେ ୧.୨ ଲକ୍ଷ ୬୦ ହଜାର ଲୋକଙ୍କୁ ବିଜୁଳି ସେବା ଯୋଗାଇ ଦିଆଯାଇଛି । ୨୨ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ । ପ୍ରାଥମିକ ରିପୋର୍ଟ ପରେ ଗାଁରେ ଏହାର ଭେରିଫିକେସନ ଚାଲିଥିବା କହିଛନ୍ତି ଆଦିତ୍ୟ ପାଢୀ । ଏବେ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ରହିଛି ରିଲିଫ ସମସ୍ତ ଅଂଚଳରେ ପହଂଚାଇବା ଓ ପାଇପ ୱାଟର ଯୋଗାଇବା । ରାଜ୍ୟ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ସହାୟତା ଦିଆଯାଇଛି । କେବଳ ଗଂଜାମ ଜିଲ୍ଲାରେ ୧୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Comments are closed.