ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାକୁ ଯାଉଛି ‘ତିତଲି’ । ତିନି ଘଂଟାରେ ଜଣା ପଡିବ ରୂପରେଖ

57

କନକ ବ୍ୟୁରୋ: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିିକ ଝଡ଼ ‘ତିତଲି’ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । ଆସନ୍ତା ୩ଘଣ୍ଟା ମଧ୍ୟରେ ଅତି ଭୟଭଙ୍କର ସାମୁଦ୍ରିକ ଝଡ଼ର ରୁପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସ୍ଥଳଭାଗ ଛୁଇଁବାରେ ପବନର ବେଗ ଘଂଟା ପ୍ରତି ୧୪୦ରୁ ୧୬୦ କିଲୋମିଟର ବହିବ । ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ବାତ୍ୟା ଓ ପ୍ରବଳ ପବନରେ ଚାଳଘର ସବୁ ଉଡ଼ି ଯାଇପାରେ। ଗଛ ଭାଙ୍ଗି ଯାଇପାରେ ଅବା ଉପୁଡ଼ି ଯାଇପାରେ। ବିଦ୍ୟୁତ୍‌ ଓ ଟେଲିଫୋନ୍ ଖୁଣ୍ଟ ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି। ରାସ୍ତାଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ଏହି ଭୀଷଣ ସାମୁଦ୍ରକ ଝଡ଼ ‘ତିତଲି’ ଏବେ ଗୋପାଳପୁର ଠାରୁ ୩୭୦ କିଲୋମିଟର ଦୂରରେ ରହିଛି ଓ ଏହା ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।

 

ତେବେ ତିତଲିର ଗତି ଧୀର ଥିବାରୁ ଏହା ଜଳଭାଗରେ ଅଧିକ ସମୟ ରହିବା ସହିତ ଅଧିୀକ ।କ୍ତି ସଂଗ୍ରହ କରି ଭୟଙ୍କର ହୋଇ ଉଠୁଥିବା ଆଶଙ୍କା କରାଯାଉଛି। ଏହା ଯେତେବେଳେ ସ୍ଥଳଭାଗ ଛୁଇଁବ, ସେତେବେଳେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୪୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରି ଦେବା ସହିତ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ସତର୍କ କରି ଦେଇଛନ୍ତି।

ସାମୁଦ୍ରିିକ ଝଡ଼ ‘ତିତିଲି’ ଆଜି ସକାଳ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଅଭିମୁଖେ ଆଗାଉଛି। ଏହାର ପ୍ରଭାବରେ ଉପକୂଳରେ ଆଜି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟାରୁ ଦକ୍ଷିଣ ଉପକୂଳରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଏହା କ୍ରମଶଃ ବୃଦ୍ଧି ପାଇ ଆସନ୍ତାକାଲି ସକାଳ ସୁଦ୍ଧା ପବନର ବେଗ ୧୪୦ରୁ ୧୬୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।। ଆଗାମୀ ୧୨ ତାରିଖ ଯାଏ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।