ଚଳିତ ବର୍ଷ ଆଉ ହେବନି ଛାତ୍ର ସଂସଦ ନିର୍ବାଚନ । କୌଣସି ବିଭ୍ରାନ୍ତିକର ଖବର ଦ୍ବାରା ପ୍ରଭାବିତ ନହୋଇ ପାଠପଢ଼ାରେ ମନୋନିବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

64

କନକ ବ୍ୟୁରୋ: ଚଳିତ ଶିକ୍ଷା ବର୍ଷ ପାଇଁ ଆଉ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସ୍ପଷ୍ଟ କରିଛନ୍ତି। ଛାତ୍ରଛାତ୍ରୀ କୌଣସି ବିଭ୍ରାନ୍ତିକର ଖବର ଦ୍ବାରା ପ୍ରଭାବିତ ନହୋଇ ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବାତ୍ୟା ‘ତିତଲି’ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜନଜୀବନ ବିପର୍ଯ୍ୟସ୍ତ ହେବ ବୋଲି ସତର୍କ ସୂଚନା ମିଳିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୦/୧୦/୨୦୧୮ରେ ପ୍ରକାଶିତ ନିର୍ଦ୍ଦେଶନାମା ନଂ ୨୮୬୭୬ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରାଯାଇଛି।

କିନ୍ତୁ ପୁନର୍ବାର ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ବିଭ୍ରାନ୍ତିକର ରିପୋର୍ଟ କେତେକ ଖବରକାଗଜରେ ପ୍ରକାଶ ପାଇଥିବା ନେଇ ସୋସିଆଲ ମିଡିଆରେ ବୁଲୁଛି। ଏହି ବିଭ୍ରାନ୍ତିକର, ଅସତ୍ୟ ଓ ଭିତ୍ତିହୀନ ରିପୋର୍ଟକୁ ମନ୍ତ୍ରୀ ଶ୍ରୀ ଦାସ ଦୃଢ଼ତାର ସହ ଖଣ୍ଡନ କରିବା ସହ ପୁନର୍ବାର ଛାତ୍ରସଂସଦ ନିର୍ବାଚନ ହେବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି।