ଦୁର୍ବଳ ହେଉଛି ତିତଲି ! ମଧ୍ୟରାତ୍ରିରେ ଅବପାତରେ ପରିଣତ ହେବ,ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପୂର୍ବାନମାନ

43

କନକ ବ୍ୟୁରୋ : ଦୁର୍ବଳ ହେଉଛି ତିତଲି । ତିତଲି ଦୁର୍ବଳ ହେବା ନେଇ ବୁଲେଟିନ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଏହା ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆଜି ସଂନ୍ଧ୍ୟା ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ମଧ୍ୟ ରାତି ସୁଦ୍ଧା ଅବପାତର ରୂପ ନେବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପୂର୍ବାନମାନ କରାଯାଇଛି । କେତକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆଗାମୀ ୨୪ ଘଂଟା ଯାଏ ସମୂଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀକାକୁଲମ ପଲାସାରେ ଭୋର ସାଢେ ଚାରିଟାରୁ ସାଢେ ପାଂଚଟା ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ତିତଲି । ଏହି ସମୟରେ ସେଠାରେ ୧୪୦ରୁ ୧୫୦ ଓ ସର୍ବାଧିକ ୧୬୫କିଲୋମିଟର ପବନର ବେଗ ରହିଥିଲା । ଏହାର ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୧୨୬କିଲୋମିଟର ପବନର ବେଗ ରହିଥିଲା ।

ସେପଟେ ତିତଲିରେ ହୋଇଥିବା କ୍ଷୟକ୍ଷତି ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସିଛି । ରାୟଗଡା, ଗଂଜମା, ଗଜପତି ଅଧିକ ପ୍ରଭାବତି ହୋଇଛି । ଗଜପତିରେ ଅଧିକ ଗଛ ଭାଙ୍ଗି ପଡିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ କହିଛନ୍ତି । ଗଜପତିରେ ବର୍ଷା ସହ ୮୦ କିଲୋମିଟର ବେଗରେ ପବନ ବୋହୁଛି । ଗଜପତିକୁ ୨ଟି ଏନଡିଆରଏଫ ଟିମ ଯିବ । ଗଜପତିର ସମସ୍ତ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ମୋହନାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୧୧୨ଟି ରିଲିଫ କ୍ୟାମ୍ପକୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରିଲିଫ କ୍ୟାମ୍ପରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ । ଟେଲିଫୋନ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି । କେତେକ ସ୍ଥାନରେ ଦୁଇ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନଦୀଗୁଡିକରେ ପାଣି କମ ଥିବାରୁ ବନ୍ୟା ଆଶଙ୍କା ନାହିଁ । ଦିନ ୪ଟା ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଆଦିତ୍ୟ ପାଢୀ କହିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଏସ୍ଆରସି, ଗୃହ ସଚିବ, ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଓ ସମସ୍ତ ବିଭାଗର ସଚିବ ଉପସ୍ଥିତ ଅଛନ୍ତି । କ୍ଷୟକ୍ଷତି ଆକଳନ ସହ ପୁର୍ନଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ନେଇ ଆଲୋଚନା ହୋଇଛି ।