ତାଣ୍ଡବ କରି ସ୍ଥଳଭାଗରେ ପହଞ୍ଚିଲା ତିତଲି । ୨ ଘଣ୍ଟା ପର୍ଯ୍ୟନ୍ତ ସ୍ଥଳଭାଗରେ ରହିବ, ୧୬୫ କିଲୋମିଟର ବେଗରେ ପବନ ବହିବ

138

କନକ ବ୍ୟୁରୋ : ସ୍ଥଳଭାଗ ଛୁଇଁଲା ତିତଲି । ଭେରି ସିଭିୟର ସାଇକ୍ଲୋନ ଷ୍ଟ୍ରର୍ମ ଭାବେ ଉପକୂଳ ଛୁଇଁଛି ବାତ୍ୟା ତିତଲି । ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁଛି ତିତଲି । ସକାଳ ପ୍ରାୟ ୫ଟା ୩୦ ସମୟରେ ଏହା ଉପକୂଳକୁ ହିଟ୍ କରିଛି । ଆଉ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି । ପ୍ରାୟ ୧୬୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏହାର ବେଗ ଆହୁରି ବଢିପାରେ ବୋଲି ସୂଚନା ମିଳିଛି । ତିତଲି ସ୍ଥଳଭାଗ ଛୁଇଁବା ପରେ ଅଧିକ ଉଗ୍ର ହୋଇଛି । ସବୁଠୁ ବଡ କଥା ହେଲା ଉପକୂଳ ଛୁଇଁବା ପରେ ଏହା ୨ ଘଣ୍ଟା ପର୍ଯ୍ୟନ୍ତ ସ୍ଥଳଭାଗରେ ରହିବ । ଅଥାର୍ତ ଏହି ସମୟରେ ଭୟଙ୍କର ରୂପ ଧାରଣ କରିବ ତିତଲି । ସ୍ଥଳଭାଗରେ ତାଣ୍ଡବ ରଚିବା ପରେ ଏହା ଧୀରେ ଧୀରେ ଦୁର୍ବଳ ହେବ ।

ବାତ୍ୟାର ପ୍ରଭାବ ଏଭଳି ରହିଛି ଯେ,କେଉଁଠି ବାତ୍ୟାରେ ଘରଦ୍ୱାର ଭାଙ୍ଗିଯାଇଛି ତ ପୁଣି କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନ ଯେପରିକି ଗଞ୍ଜାମ, ପୁରୀ, ଗତପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ତେବେ ତିତଲି ପ୍ରଭାବରେ ଗୁରବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଓ ପବନ ଲାଗି ରହିବ ବୋଲି ଜଣାପଡିଛି ।

ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ବାତ୍ୟା ପରବର୍ତ୍ତୀ ସମୟରେ ଜିରୋ କାଜୁଆଲିଟି ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର । ବାତ୍ୟା ଉପକୂଳରେ ମାଡ ହେବା ପରେ ଏହାର ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପ୍ରସ୍ତୁତ ହୋଇ ରହିଛି । ଠିକ୍ ସେହିଭଳି ରାଜ୍ୟର ପ୍ରତି ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ବାତ୍ୟା ପରେ ବିଦ୍ୟୁତ ସରବରାହରେ ଅସୁବିଧା ଦେଖାଦେଲେ ତାହାର ତୁରନ୍ତ ସମାଧାନ କରିବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରଭାବରେ ରାସ୍ତା ଉପରେ ପଡି ରହିଥିବା ଗଛ ଗୁଡିକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ବାତ୍ୟା ପୂର୍ବରୁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି । ବାତ୍ୟାରେ ଯେପରି କୌଣସି ଲୋକଙ୍କର କ୍ଷତି ହେବ ନାହିଁ ସେଥିପ୍ରତି ମଧ୍ୟ ଜୋର ଦେଇଛନ୍ତି ରାଜ୍ୟ ସରକାର । ଏପରିକି ଆବଶ୍ୟକ ପଡିଲେ ସେନାବାହିନୀ ଓ ଆକାଶବାହିନୀର ସାହାର୍ଯ୍ୟ ନିଆଯିବ । ଏସବୁ ବାଦ୍ ବାତ୍ୟା ପରେ ବନ୍ୟା ସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ତିତଲିକୁ ମୁକାବିଲା କରିବାକୁ ଜୋର ଲଗାଇ ଦେଇଛନ୍ତି ରାଜ୍ୟ ସରକାର ।