ତିତଲିରେ ଅଧିକ ପ୍ରଭାବିତ ହେଲା ଗଜପତି ଜିଲ୍ଲା। ଭାଙ୍ଗିଲା ଘର, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ । ୨୪ଘଂଟା ଭିତରେ ସ୍ୱାଭାବିକ ହେବା ନେଇ ସୂଚନା ଦେଲେ ଏସଆରସି

52

କନକ ବ୍ୟୁରୋ : ବାତ୍ୟା ତିତଲି ସ୍ଥଳଭାଗ ଛୁଇଁବା ପରେ ଅନେକ ସ୍ଥାନରେ କ୍ଷତି କରିଥିବା ସୂଚନା ମିଳିଛି । ଓଡିଶାର ଗୋପାଳପୁର ଓ ଗଜପତି ବିଶେଷ ଭାବରେ ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଶ୍ରୀ ସେଠୀଙ୍କ ସୂଚନା ଅନୁସାରେ ଗଜାଂମ, ଗଜପତି ଓ ପୁରୀରେ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି । ଏହାସହ ବର୍ତମାନ ସମୟରେ ବାତ୍ୟା ପଶ୍ଚିମବଙ୍ଗ ମୁହାଁ ହୋଇଛି । ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର(୧୦୭୦) ମଧ୍ୟ ଜାରି କରାଯିବା ସହ ରାଜ୍ୟରେ ବର୍ତମାନ ସମୟରେ କୌଣସି ସ୍ଥାନରେ ବନ୍ୟା ଆଶଙ୍କା ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି ।

ଗଜାଂମ ରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସମୟରେ ଗଜପତିରେ ଅନେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି । ସ୍ଥଳଭାଗ ଛୁଇଁବା ସମୟରେ ସର୍ବାଧିକ ୧୬୫ କିମି ବେଗରେ ପବନ ହୋଇଥିବା ସେ କହିଛନ୍ତି । ବିଦ୍ୟୁତ ଓ ପରିବହନ ବାଧା ପ୍ରାପ୍ତ ହେବା ସହ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନ ଥିବା ଶ୍ରୀ ସେଠୀ କହିଛନ୍ତି । ଏହାସହ ବର୍ତମାନ ସମୟରେ କାହାର ମୃତ୍ୟୁ ହୋଇନାହିଁ । ବାତ୍ୟାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୋପାଳପୁରଠାରେ ଘଣ୍ଟାପ୍ରତି ୧୨୬ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି ।

ତେବେ ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜ୍‌ବେଷ୍ଟସ୍‌ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହା ସହ ଭଞ୍ଜନଗର, ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଗଛ ଉପୁଡି ପଡିଲାଣି। ଅଟୋ, କାର ସମେତ କିଛି ଘର ମଧ୍ୟ ନଷ୍ଟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ବ୍ରହ୍ମପୁର ନୀଳକଣ୍ଠ ନଗରର ବିଦ୍ୟୁତ୍‌ ଟ୍ରାନ୍ସଫରମର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିସହିତ ଗଜପତି, କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି।