ତିତଲି ଧୋଇଲା ଟଙ୍କା ! ଜରି ପଲିଥିନ ଉପରେ ଖୋଲା ଛାତରେ ଶୁଖୁଛି ବିଡ଼ା ବିଡ଼ା ୫୦୦ ଓ ୨୦୦୦ ଟଙ୍କିଆ ନୋଟ, ଜାଣନ୍ତୁ କେଉଁଠି

38

କନକ ବ୍ୟୁରୋ : ବାତ୍ୟା ତିତଲି ଚାଲି ଯାଇଛି କିନ୍ତୁ ଚିହ୍ନ ଛାଡି ଯାଇଛି । ତିତଲି ବାତ୍ୟା ପରେ ପରେ ଯେଉଁଭଳି ବନ୍ୟା ବିଭୀଷିକା ଦେଖା ଦେଇଛି ତାହା ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଛି । ଗୋଟିଏ ପଟେ ଖାଦ୍ୟ ସାମଗ୍ରୀ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଏବେ ନଗଦ ଟଙ୍କାର ସମସ୍ୟା ଦେଖିବାକୁ ମିଳିଛି । ଖାସକରି ବାତ୍ୟା ପ୍ରଭାବିତ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି ।

ଜରି ପଲିଥିନ ଉପରେ ଶୁଖା ହୋଇଛି ୧୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କାର ବିଡା ବିଡା ବଣ୍ଡଲ । ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ଖୋଲା ଛାତରେ ଶୁଖୁଛି । ଆଉ ଏଭଳି ଚିତ୍ର ଆସ୍କା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏତେ ଗୁଡିଏ ଟଙ୍କା ଛାତ ଉପରେ କାହିଁକି ଶୁଖାଯାଇଛି ତାହା ପଛର କାରଣ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ତିତଲି ବାତ୍ୟା ଓ ଲଗାଣ ବର୍ଷା ଫଳରେ ଆସ୍କାର ବିଭିନ୍ନ ବ୍ୟାଙ୍କ୍ ଚେଷ୍ଟ ଓ ଏଟିଏମରେ ପାଣି ପଶିଯିବା ଫଳରେ ଏଥିରେ ଥିବା ନଗଦ ୫ କୋଟି ଟଙ୍କା ସମ୍ପୂର୍ଣ୍ଣ ଭାବେ ଭିଜିଯିବା ସହ ନଷ୍ଟ ହୋଇଛି । ତିତଲି ବାତ୍ୟା କେବଳ ଯେ ମଣିଷକୁ ହନ୍ତସନ୍ତ କରିଛି ତାହା ନୁହେଁ ବରଂ ଏଥିରୁ ଏଟିଏମ ଓ ବ୍ୟାଙ୍କ ଗୁଡିକ ମଧ୍ୟ ବର୍ତ୍ତି ପାରିନାହାନ୍ତି ।

ସୋଭାଗ୍ୟବସତଃ ବାତ୍ୟା ଓ ବର୍ଷା ସମୟରେ ବ୍ୟାଙ୍କ କିମ୍ବା ଏଟିଏମରେ ଅଧିକ ପରିମାଣର ୨୦୦୦ ଟଙ୍କିଆ ନୋଟ ନଥିଲା । ନଚେତ ଅଧିକ ମୂଲ୍ୟର ଟଙ୍କା ନଷ୍ଟ ହୋଇଥାନ୍ତା । ଏବେ ମଧ୍ୟ ପାଣି ପଶି ଅନେକ ସଂଖ୍ୟକ ବ୍ୟାଙ୍କ, ଏଟିଏମ୍ ଅଚଳ। ଏବେ ବି ନଗଦ ଟଙ୍କାର ଅଭାବ ସାଙ୍ଗକୁ ବ୍ୟାଙ୍କ, ଏଟିଏମରେ ବିଦ୍ୟୁତ୍, ଇଣ୍ଟରନେଟ୍ ସଂଯୋଗ ବିଚ୍ଛିନ୍ନ। ଏସବୁ ସମସ୍ୟା ବାତ୍ୟା ବିପନ୍ନଙ୍କ ଉଦ୍ଧାର ଓ ଥଇଥାନ କ୍ଷେତ୍ରରେ ବାଟ ଓଗାଳିଛି।