ତିତଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ନବୀନ ! ଖୁବ୍ ଶୀଘ୍ର କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ରାଜନାଥ ସିଂ

ର୍ପୂବରୁ ଚିଠିଲେଖିଥିଲେ ନବୀନ

131

କନକ ବ୍ୟୁରୋ : ତିତଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଓଡିଶାକୁ ଖୁବ୍ ଶୀଘ୍ର ତିତଲି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ ସିଂହ । ବାତ୍ୟା ତିତଲି ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ । ଏହି ଚିଠିରେ ନବୀନ ଦର୍ଶାଇଥିଲେ ତିତଲି ଯୋଗୁଁ ଓଡିଶାର ୧୭ଟି ଜିଲ୍ଲାର ୧୨୮ଟି ବ୍ଲକର ୬୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ ।

ତେଣୁ ୨ହଜାର ୨୩ କୋଟି ଟଙ୍କା ସହାୟତା ଯୋଗାଇଦେବାକୁ କେନ୍ଦ୍ରକୁ ଦାବିପତ୍ର ଦେଇଥିଲେ ରାଜ୍ୟ ସରକାର  । ତିତଲି ବାତ୍ୟାର ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୭ଶହ ୭୯କୋଟି ଟଙ୍କା ଆବଶ୍ୟକ ଥିବା ରାଜ୍ୟ ସରକାର କହିଥିଲେ । ତେବେ ପୂର୍ବରୁ ଆନ୍ଧ୍ରକୁ ସହାୟତା ଯୋଗାଇ ଦିଆଯାଇ ଥିବାବେଳେ ଓଡିଶାକୁ ଦିଆଯାଇନଥିବାରୁ ଏହାକୁ ନେଇ ପୁଣି କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ ।

Naveen-Patnaik

ସୂଚନାଯୋଗ୍ୟ ତିତଲି ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ଅନୁଧ୍ୟାନ କରିବାର ଏକ ମାସରୁ ଊର୍ଦ୍ଧ୍ବ ହୋଇ ଯାଇଥିଲେ ମଧ୍ୟ ଓଡ଼ିଶାକୁ ସହାୟତା ରାଶି ଘୋଷଣା କରାଯାଇନଥିଲା । ଆନ୍ଧ୍ରକୁ ମିଳିଥିଲେ ମଧ୍ୟ ଓଡ଼ିଶା ପାଇଁ ଏଯାଏଁ ମିଳିପାରିନଥିଲା କେନ୍ଦ୍ରୀୟ ଅନୁଦାନ । ତେବେ ଏଥିପାଇଁ ବାରମ୍ବାର ଦାବି ଜଣାଇଥିଲେ ନବୀନ । ହେଲେ ଓଡ଼ିଶା ସରକାର ୨୭୮୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ ହେଁ ସହାୟତା ମିଳିନଥିଲା ।