ତିତଲି ପ୍ରଭାବିତଙ୍କୁ ମିଳିବ ସହାୟତା । ଗୃହପାଳିତ ପଶୁଙ୍କ ମୃତ୍ୟୁ ଓ ଆସବାବପତ୍ର ନଷ୍ଟ ପାଇଁ ମିଳିବ ଆର୍ଥିକ ସହାୟତା ।

29

କନକ ବ୍ୟୁରୋ: ତିତଲି ପ୍ରଭାବିତଙ୍କୁ ମିଳିବ ସହାୟତା । ତିତଲି ପ୍ରଭାବରେ ଭାଙ୍ଗି ଥିବା ଘର ଲୋକଙ୍କୁ କ୍ଷତିପୂରଣ ମିଳିବା ସହ ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ ମିଳିବ ସହାୟତା ରାଶି । ଏହାସହ ଘରର ଆସବାବପତ୍ର ନଷ୍ଟ ପାଇଁ ବି ମିଳିବ ଆର୍ଥିକ ସହାୟତା । ଏ ନେଇ ସୂଚନା ଦେଇଛନ୍ତି ଡେପୁଟି ଏସଆରସି ପ୍ରଭାତ ମହାପାତ୍ର । ଗାଈ ମରିଥିବା ପରିବାରକୁ ୩୦ ହଜାର, ବଳଦ ମରିଥିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ସହାୟତା ରାଶି ମିଳିବ ।

ସେହିପରି ଯଦି ଛେଳି କିମ୍ବା ମେଣ୍ଢା ମରିଥିଲେ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ଡେପୁଟି ଏସଆରସି ସୂଚନା ଦେଇଛନ୍ତି । ସମତଳ ଅଂଚଳରେ ଘର ଭାଙ୍ଗିଥିଲେ ୯୫ ହଜାର ଟଙ୍କା ସହାୟତା ଦିଆଯିବ । ପାହାଡିଆ ଅଂଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୧ ହଜାର ୯୦୦ ଟଙ୍କା ମିଳିବ । ଏହା ସହ କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୩ ହଜାର ୨ ଶହ ଓ ପକ୍କା ଘର ଭାଙ୍ଗିଥିଲେ ୫ ହଜାର ୨ ଶହ ଟଙ୍କା ମିଳିବ । ଏପରିକି ବାସନକୁସନ ଓ ଲୁଗାପଟା ନଷ୍ଟ ହୋଇଥିଲେ ୩୮ ଶହ ଟଙ୍କା ଆର୍ଥିକ ସହାୟତ ମିଳିବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଏସଆରସି ।

ତେବେ ଗତକାଲି ସରକାରୀ ରିପୋର୍ଟ ଅନୁସାରେ ବାତ୍ୟା ଓ ବନ୍ୟାରେ  ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି । ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନରୁଦ୍ଧାର କାମ ଶେଷ ହୋଇଛି । କେବଳ ଦାରିଂବାଡିରେ ଚାଲିଥିବା ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ।