ଦରିଆ ମଝିରେ ଫିଟିଲା ଝଡର ‘ଆଖି’! ତିତଲି ନେଉଛି କରାଳ ରୂପ

86

କନକ ବ୍ୟୁରୋ : ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତଲି । ଏହାଏବେ ଗୋପାଳପୁରଠାରୁ ୩୭୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ଭିତରେ ବଳ ଗୋଟାଉଛି ତିତଲି । ଆଉ ଏସବୁ ଭିତରେ ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ଦୃଶ୍ୟମାନ ହେଲାଣି । ତିତଲି ଆଖିର ପରିଧି ୧୫ କିଲୋମିଟର ରହିଛି । ଆଉ ଏହି ଆଖି ପରିସର ମଧ୍ୟରେ ସ୍ଥିିତି ସମ୍ପୂର୍ଣ୍ଣ ଶାନ୍ତ ରହିଛି । ତେବେ ଏହାର ପ୍ରଭାବରେ ୨୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ପବନ ବହୁଛି । ତିତଲି ଆଖିର ୧୫ କିମି ପରିଧି ପରେ ଭୟଙ୍କର ପବନ ବହୁଛି । ତେଣୁ ଏହା ଯେତେବେଳେ ଉପକୂଳ ଛୁଇଁବ ସେତେବେଳେ ଏହା ଭୟଙ୍କର ରୂପ ନେବ । ତେବେ ବାତ୍ୟାର ଆଖି ଉପକୂଳ ଛୁଇଁବା ବେଳେ କିଛି ସମୟ ପାଇଁ ଏହା ଶାନ୍ତ ରହିବ । କିନ୍ତୁ କିଛି ସମୟ ପରେ ପୁଣିଥରେ ଟ୍ରାକକୁ ଫେରିବ ବାତ୍ୟା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା । ଏବେ ଏହା ଗୋପାଳପୁର ଠାରୁ ୩୭୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ୩୧୦କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତଲି । ଆସନ୍ତାକାଲି ସକାଳ ୧୧ଟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଂଟାପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ବାତ୍ୟା ପ୍ରଭାବରେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ରାତି ସୁଦ୍ଧା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ପରେ ୧୨ ତାରିଖରେ ଉତର ଓଡିଶାର ଅନେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ୧୨ ତାରିଖ ବେଳକୁ ବାତ୍ୟା ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ ଏବଂ ପରେ ଡିପ୍ରେସନରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ୧୨ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।