ମାଡି ଆସୁଛି ରୁଆନୁ : ମଧ୍ୟରାତ୍ରିରେ ନେବ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ

92

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ମାଡିଆସୁଛି ରୁଆନୁ । ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିଝଡ ରୁଆନୁ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆଜି ସଂନ୍ଧ୍ୟା ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପବନର ଗତି ଘଂଟାପ୍ରତି ୧୧୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମଧ୍ୟରାତ୍ରି ପରେ ପବନର ବେଗ ବଢି ୧୨୦ କିମି ହୋଇପାରେ । ଏବେ ଘୂର୍ଣିଝଡ ରୁଆନୁ ଘଂଟାପ୍ରତି ୧୫ କିମି ବେଗରେ ଗତି କରୁଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଂଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ୧୨ଟି ଜିଲ୍ଲାରେ ହାଇଆର୍ଲଟ ଜାରି କରିଛନ୍ତି ସରକାର । ଏନେଇ ୧୨ ଜିଲ୍ଲାର ଜିଲାପାଳଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅବଶ୍ୟ ଏହି ରୁଆନୁ ଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ ।

ଆସନ୍ତାକାଲି ରାତିରେ ଏହା ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଉତର ପୂର୍ବ ଦିଗରେ ଗତିକରିବ । ବାତ୍ୟା ‘ରୁଆନୁ’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ସହ ସରକାରୀ କର୍ମଚାରୀଙ୍କୁ ଛୁଟିରେ ନଯିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସ୍ଥିତିର ମୁକାବିଲା ପାଇଁ ଉପକୂଳବର୍ତି ଜିଲ୍ଲାମାନଙ୍କରେ ୨୪ ଘଂଟିଆ କଂଟ୍ରୋଲ୍ ରୁମ୍ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି । ତେବେ ବତ୍ୟାକୁ ନେଇ ବେଶ ଆତଙ୍କିତ ଅଛନ୍ତି ଉପକୂଳ ଜିଲ୍ଲାର ଲୋକେ ।