ଆନ୍ଧ୍ର ମୁହାଁ ବାତ୍ୟା ‘ପେଥାଇ’ : ପ୍ରଭାବରେ ରାଜ୍ୟର ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ

ଆଜି ଅପରାହ୍ନରେ ସ୍ଥଳ ଭାଗ ଛୁଇଁବା ପୂର୍ବାନୁମାନ

317

କନକ ବ୍ୟୁରୋ: ଆନ୍ଧ୍ରକୁ ଆସୁଛି ‘ପେଥାଇ’ । ତିତଲି ପରେ ଆଉ ଏକ ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ମୁହାଁ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଷ୍ଟ୍ରମ୍ ଉତର ଓ ଉତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କାକିନାଡା ମଧ୍ୟରେ ବାତ୍ୟା ପେଥାଇ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ବାତ୍ୟା ମଛଲିପଟନମ୍ ଠାରୁ ୧୬୦ କିଲୋମିଟର ଦୂରରେ ରହିଥିବା ବେଳେ କାକିନାଡା ଠାରୁ ୧୯୦ କିଲୋମିିଟର ଦୂରରେ ରହିଛି ।

ତେବେ ଘଂଟା ପ୍ରତି ୨୩ କିଲୋମିର ବେଗରେ ଉପକୂଳ ମୁହାଁ ହୋଇଛି ବାତ୍ୟା । ଏବେ ଠାରୁ ଆନ୍ଧ୍ର କାକିନାଡା ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ପ୍ରତିକୂଳ ପରିସ୍ଥିତ ଯୋଗୁଁ ସ୍ଥଳଭାଗ ଛୁଇଁବା ଆଗରୁ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ପେଥାଇ ସ୍ଥଳଭାଗ ଛୁଇଁବା ସମୟରେ ବର୍ଷା ପବନ ହୋଇପାରେ । ପ୍ରାୟ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେପଟେ, ସାମୁଦ୍ରିକ ଝଡ ପ୍ରଭାବରେ ଓଡିଶାର ୧୧ଟିି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଜପତି, ରାୟଗଡା, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହାସହ ମାଲକାନଗିରି, ନବରଙ୍ଗପୁର, ବରଗଡ, ସମ୍ବଲପୁର, ଝାରସୁଗୁଡାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । କେତେକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସମ୍ବଲପୁରରେ ଆଜି ସକାଳୁ ବର୍ଷା ହେଉଛି । ସକାଳ ୮ଟା ସୁଦ୍ଧା ଭବାନୀପାଟଣାରେ ୩୭ ମିଲିମିଟର, ହୀରାକୁଦରେ ୨୦ ମିଲିମିଟର, ଝାରସୁଗୁଡାରେ ୨୧ ମିଲିମିଟର ବର୍ଷା ହୋଇଛି ।