ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ପେଥାଇ’ ! ଉପକୂଳରେ ୪୦ରୁ ୮୦ କିମି ବେଗରେ ବୋହୁଛି ପବନ, ଦକ୍ଷିଣ ଓଡିଶାରେ ବର୍ଷା ।

431

କନକ ବ୍ୟୁରୋ : ବାତ୍ୟା ପେଥାଇ ଆଜି ଦିନ ପ୍ରାୟ ୨ଟାରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏହି ସମୟରେ ଘଂଟାପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବୋହିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଯାଇଥିଲା । ତେବେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଗଛ ଏବଂ ବିଦ୍ୟୁତ୍ ଖୁଂଟ ଉପୁଡିପଡିଛି । ଏବେବି ବର୍ଷା ଜାରି ରହିଛି । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ଏବେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି ।

Cyclone Phethai Makes Landfall At Andhra Pradesh's Katrenikonaଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି ବାତ୍ୟା ପେଥାଇ । କାକିନାଡା ଓ ୟାନମ ମଝିରେ ଦିନ ପ୍ରାୟ ୨ଟାରେ ପେଥାଇ ଲ୍ୟାଣ୍ଡଫଲ କରିଛି । ୟାନମର ଦକ୍ଷିଣ ଏବଂ କାକିନାଡାଠାରୁ ୪୦ କିଲୋମିଟର ଦୂର କାତ୍ରେନିକୋନାରେ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଆଇଏମଡି କହିଛି । ଏହି ସମୟରେ ପବନର ବେଗ ଘଂଟାପ୍ରତି ୭୦ ରୁ ୯୦ କିଲୋମିଟର ରହିଥିଲା । ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିଲା । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇସାରିଥିଲା ପେଥାଇ । ଫଳରେ ପବନର ବେଗ କମ୍ ରହିଥିଲା । ତେବେ ସମୁଦ୍ର ଅଶାନ୍ତ ହୋଇଉଠିଥିଲା । ସମୁଦ୍ରରେ ୧୦ରୁ ୧୨ ଫୁଟ ଯାଏଁ ଲହଡି କୂଳକୁ ମାଡିଆସିଥିଲା ।

ବାତ୍ୟା ପେଥାଇର ପ୍ରଭାବ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟୱାଡା, ଗୁଂଟୁର, କୃଷ୍ଣା, ପୂର୍ବ ଗୋଦାବରୀ ଓ ପଶ୍ଚିମ ଗୋଦାବରୀରେ ପଡିଛି । କିଛି ଘରର ଛପର ଉଡିଯାଇଛି । ବିଦ୍ୟୁତ୍ ଖୁଂଟ ଓ ବଡ ବଡ ଗଛ ଉପୁଡିପଡିଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଛି । ସେପଟେ ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀରେ ମଧ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବାତ୍ୟା ପାଇଁ ଚେନ୍ନାଇ-ହାୱଡା ରୁଟରେ ୬୦ରୁ ଅଧିକ ଟ୍ରେନ୍ ଚଳାଚଳ ବାତିଲ ହୋଇଛି । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ପେଥାଇ ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ମୁହାଁ ହୋଇଛି । ଏହି ସମୟରେ ଏହାର ବେଗ ଘଂଟାପ୍ରତି ୫୦ରୁ ୭୦ କିଲୋମିଟର ରହିଛି । ପରେ ଏହା ଆହୁରି ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହେବ ।