ଲ୍ୟାଣ୍ଡଫଲ୍ କଲା ବାତ୍ୟା ପେଥାଇ ! ଅଶାନ୍ତ ହେଉଛି ସମୁଦ୍ର, ଆନ୍ଧ୍ରପ୍ରଦେଶ ଉପକୂଳରେ ହାଇଆଲର୍ଟ ଜାରି

772

କନକ ବ୍ୟୁରୋ : ବାତ୍ୟା ପେଥାଇ ଲ୍ୟାଣ୍ଡଫଲ କରିସାରିଛି । ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡା ଓ ୟାନମ୍ ମଧ୍ୟଭାଗରେ ବାତ୍ୟା ପେଥାଇ ଲ୍ୟାଣ୍ଡଫଲ କରିଛି। ପେଥାଇର ଲ୍ୟାଣ୍ଡଫଲ ପ୍ରକ୍ରିୟା ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ୯୦ରୁ ୧୦୦ କିମି ବେଗରେ ବହୁଛି ପବନ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ୭ଟି ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଜିଲ୍ଲା ଯେପରି ଗୁନ୍ଟୁର୍, କ୍ରିଷ୍ଣା, ପୂର୍ବ ଗୋଦାବରୀ, ଇଷ୍ଟ ଗୋଦବରୀ, ବିଶାଖାପାଟନମ୍ ଓ ଶ୍ରିକାକୁଲମ୍ ଆଦି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଆନ୍ଧ୍ରରେ ବାତ୍ୟାର ମୁକାବିଲା ପାଇଁ ୧୨ଟି ଏନ୍ଡିଆର୍ଏଫ୍ ଟିମ୍ ମହଜୁଦ ରହିଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇଛନ୍ତି । ଆନ୍ଧ୍ରପ୍ରଦେଶରୁ ଯାତ୍ରା ଆରମ୍ଭ କରିବାକୁ ଥିବା ୫୦ଟି ଟ୍ରେନ୍କୁ ବାତିଲ କରାଯାଇଛି । ସେହିପରି ଦିଲ୍ଲୀରୁ ବିଶାଖାପାଟନମ୍ ଅଭିମୁଖେ ଉଡ଼ିବାକୁ ଥିବା ବିମାନର ସମୟ ପରିବର୍ତ୍ତନ କରି ଦିଆଯାଇଛି । ଅନେକ ପାସେଞ୍ଜର୍ ଟ୍ରେନ୍ ମଧ୍ୟ ବାତିଲ ହୋଇଛି ।

ସେପଟେ ସାମୁଦ୍ରକ ଝଡ ପ୍ରଭାବରେ ଓଡିଶାର ୧୧ଟିି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ ଟି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଜପତି, ରାୟଗଡା, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହାସହ ମାଲକାନଗିରି, ନବରଙ୍ଗପୁର, ବରଗଡ, ସମ୍ବଲପୁର, ଝାରସୁଗୁଡାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । କେତେକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସମ୍ବଲପୁରରେ ଆଜି ସକାଳୁ ବର୍ଷା ହେଉଛି । ସକାଳ ୮ଟା ସୁଦ୍ଧା ଭବାନୀପାଟଣାରେ ୩୭ ମିଲିମିଟର, ହୀରାକୁଦରେ ୨୦ ମିଲିମିଟର, ଝାରସୁଗୁଡାରେ ୨୧ ମିଲିମିଟର ବର୍ଷା ହୋଇଛି । ସେହିପରି ସୁବର୍ଣ୍ଣପୁର ୨୧ ମିଲିମିଟର ଓ ବଲାଙ୍ଗୀରରେ ୩୧ ମିଲିମିଟର ବର୍ଷା ହୋଇଛି ।