ବାତ୍ୟା ବଢାଇଲା କଳାହାଣ୍ଡିର ଧଳାସୁନା ଚାଷୀଙ୍କ ସମସ୍ୟା ! ଅମଳ ଆରମ୍ଭରୁ ଅଭାବି ବିକ୍ରି, ଏବେ କପାର ମାନକୁ ନେଇ ଚିନ୍ତାରେ ଚାଷୀ

61

କନକ ବ୍ୟୁରୋ : ଲଗାତାର ଅନେକ ବର୍ଷ ହେଲା ମରୁଡିର ଶିକାର ହେଉଥିବା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ବାତ୍ୟା ପେଥାଇ ପ୍ରଭାବରେ ହୋଇଥିବା ବର୍ଷା । ଧାନ କରି କ୍ଷତି ସହିଥିବା ଚାଷୀ କପା ଚାଷ କରିଥିଲେ । ହେଲେ ଚଳିତ ବର୍ଷ ବିଳମ୍ବିତ ମଣ୍ଡି ସାଙ୍ଗକୁ ଅଦିନିଆ ବର୍ଷା ଚାଷୀର ଆଶାକୁ ଧୂଳିସାତ କରିଦେଇଛି ।

ବାତ୍ୟା ପେଥାଇ ଜନିତ ବର୍ଷା ଯୋଗୁଁ ସଂକଟରେ କଳାହାଣ୍ଡିର ଧଳାସୁନା ଚାଷୀ । ପ୍ରଥମରୁ ଅଭାବି ବିକ୍ରିର ଶିକାର ହେଉଥିବା ଚାଷୀ ବର୍ଷା ପରେ କପାର ମାନ ଖରାପ ନେଇ ଚିନ୍ତାରେ ପଡିଛନ୍ତି । କଳାହାଣ୍ଡି ବ୍ଲକ ସମେତ ଧର୍ମଗଡ ବ୍ଲକରେ ଲଗାତର ୩୬ ଘଂଟାର ବର୍ଷାରେ ଓଦା ହୋଇଥିବା କପା ଗଛରୁ ଝଡି ପଡିବାର ଆଶଙ୍କା ରହିଛି । ଓଦା କପାର ମାନ ଖରାପ ହୋଇ ଗଲେ ବିକ୍ରି ହୋଇପାରିବ ନାହିଁ ।

ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରୁ ୫ଲକ୍ଷ କ୍ୱିଂଟାଲ କପା ଅମଳ ନେଇ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । କେନ୍ଦ୍ର ସରକାର କପାର ସହାୟକ ମୂଲ୍ୟ ବଢାଇ ୫ ହଜାର ୪ଶହ ୫୦ ଟଙ୍କା କରିଛନ୍ତି । ହେଲେ ମଣ୍ଡିରେ କପାର ମାନକୁ ନେଇ କପା କିଣା ସଂସ୍ଥାମାନଙ୍କ ଭିତରେ ଟଣାଓଟରା ଯୋଗୁଁ ଠିକ୍ ଭାବେ କପା କିଣା ବିକା ହୋଇପାରୁନାହିଁ । ଗୋଲମୁଣ୍ଡା ଭଳି କେତେକ ବ୍ଲକରେ ଆଜି ଯାଏଁ କପା ମଣ୍ଡି ହିଁ ଖୋଲି ନାହିଁ ।

ଧର୍ମଗଡ ଓ ଗୋଲାମୁଣ୍ଡା ବ୍ଲକରେ ଧାନ ଅମଳ ବିଳମ୍ବରେ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଅମଳ ପ୍ରକ୍ରିୟା ବିଳମ୍ବ ହୋଇଥିବା ବେଳେ ଅସମୟରେ ବାତ୍ୟା ପେଥାଇ ପ୍ରଭାବରେ ବର୍ଷା ଯୋଗୁଁ ଏବେ ଚାଷୀ ବିଲରେ ଏବେ ଆଣ୍ଠୁଏ ଉଚର ପାଣି ଜମି ରହିଛି । ଫଳରେ ପାଚିଲା ଧାନ କଟା ହେବ କଣ ଗଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ କ୍ଷତିଗ୍ରସ୍ଥ ଅଂଚଳ ବୁଲି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଲଗାତାର ମୁରଡିର ଶିକାର ହେଉଥିବା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ସମସ୍ୟା ବଢାଇ ଦେଇଛି ବାତ୍ୟା ପେଥାଇ ବର୍ଷା ।