ଚାଲିଯାଇଛି ‘ପେଥାଇ’, ଛାଡି ଯାଇଛି ଚିହ୍ନ ! ବାତ୍ୟା ଭାଙ୍ଗିଦେଇଛି ଚାଷୀର ମେରୁଦଣ୍ଡ, ମାଟିରେ ମିଶିଛି ସୁନା ଫସଲ ।

60

କନକ ବ୍ୟୁରୋ : ଝାଳବୁହାଇ ପରିଶ୍ରମ କରିଥିଲେ । ଆଶା କରିଥିଲେ ସୁନାର ଫସଲ ହେବ । ହେଲେ ବାତ୍ୟା ପେଥାଇ ଭାଙ୍ଗିଦେଲା ଯାଇଛି ଚାଷୀର ମେରୁଦଣ୍ଡ । ଉଜୁଡି ଯାଇଛି ଧାନ ଫସଲ । ଦେଖନ୍ତୁ ବୌଦ୍ଧ, ସୁନ୍ଦରଗଡ ଏବଂ ଫୁଲବାଣୀରେ କିପରି ପେଥାଇ ଧୋଇଦେଇଛି ଫସଲ । ଏବେ ଚାଷୀର ଚିନ୍ତା ଏହି ବର୍ଷଟା ଚଳିବେ କେମିତି । ପେଥାଇର ଦୁଃଖରେ ଆଉଟ ପାଉଟ ଚାଷୀଙ୍କ ପାଇଁ ଏବେ କେବଳ ଭଗବାନ ହିଁ ଭରସା ।

ସରୁନି ପେଥାଇ ଦୁଃଖ । ମାଟିରେ ମିଶିଲା ସୁନାର ଫସଲ । ବୌଦ୍ଧ, ସୁନ୍ଦରଗଡ ଏବଂ ଫୁଲବାଣୀ । ପେଥାଇ ଚାଷୀଙ୍କ ଉପରେ ଦାଉ ସାଧିଛି । ସୁନାର ଫସଲ ନଷ୍ଟ ହୋଇଯାଇଛି । ଖାଲି ଫସଲ ନଷ୍ଟ ହୋଇନି, ଏହା ସହ ଦୋହଲି ଯାଇଛି ଚାଷୀର ଭାଗ୍ୟ ଭବିଷ୍ୟତ । ପେଥାଇ ପ୍ରଭାବରେ ବୌଦ୍ଧ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି । ପାଣି ଜମି ରହିବାରୁ ବ୍ୟାପକ ଧାନ ଫସଲ ମାଟିରେ ମିଶିଛି । ପାଣିରୁ ଧାନକୁ ଛାଣୁଛି ଚାଷୀ । ଫସଲ ଗଜା ହୋଇଗଲାଣି । ଖଳାରେ ଥିବା ଧାନ ମଧ୍ୟ ଓଦା ହୋଇଯାଇଛି । ଏଭଳି ପରିସ୍ଥିତିରେ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ କହିଛନ୍ତି ଖୁବ୍ ଶୀଘ୍ର ଫାଇନାଲ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦିଆଯିବ ।

ସୁନ୍ଦରଗଡରେ ମଧ୍ୟ ଦାଉ ସାଜିଛି ପେଥାଇ । ପେଥାଇ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ଧାନ ଏବେ କ୍ଷେତରେ ଭାସୁଛି । ବଡଗାଁ ବ୍ଲକ ଇତମା ଗାଁର ପାଣିଖିଆ ଧାନ ଚାଷୀର ଚିନ୍ତା ବଢାଇଛି । ସେପଟେ କନ୍ଧମାଳରେ ବି ସମାନ ଦୃଶ୍ୟ । ପ୍ରାୟ ୫୦ ହେକ୍ଟର ଜମିରେ ଧାନ ଫସଲରେ କ୍ଷୟକ୍ଷତି ଘଟିଛି । ମଣ୍ଡି ଖୋଲିନଥିବାରୁ ବିଲରେ ଧାନ କାଟି ରଖିଥିଲେ ଚାଷୀ । ହଠାତ ବର୍ଷାରେ ଧାନ ଓଦା ହୋଇ ଗଜା ପାଲଟିଗଲା । ପେଥାଇ ଏମିତି ଦୁର୍ଦ୍ଦଶା ବଢାଇଛି , ଯାହାର ସମାଧାନର ସୁତ୍ର ପାଉନାହାନ୍ତି ଚାଷୀ । କିଏ ଭରିବ କ୍ଷତିପୂରଣ କେମିତି ଚଳିବ ପରିବାର, ସେନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି ।