ଦକ୍ଷିଣ ଭାରତରେ ଘୂର୍ଣ୍ଣିଝଡ଼ ‘ଓଖି’ର ତାଣ୍ଡବ ! କେରଳ ଓ ତାମିଲନାଡୁରେ ଭୀଷଣ ବର୍ଷା, ୮ମୃତ

50

କନକ ବ୍ୟୁରୋ: ଦକ୍ଷିଣ ଭାରତରେ ‘ଓଖି’ ତାଣ୍ଡବ । ଘୂର୍ଣ୍ଣିଝଡ଼ ଓଖି ଯୋଗୁଁ କେରଳ ଓ ତାମିଲନାଡୁର ଦକ୍ଷିଣାଂଚଳରେ ଭୀଷଣ ପବନ ସହ ବର୍ଷା ହେଉଛି । ଘୂର୍ଣ୍ଣିଝଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଡ ବଡ ଗଛ ଉପୁଡି ପଡିବା ସହ ଅନେକ ବାସଗୃହ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘୂର୍ଣ୍ଣିଝଡ଼ ପ୍ରଭାବରେ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସ୍ଥାନୀୟ ପ୍ରଶାସନ ରାସ୍ତାରୁ ଗଛ ସବୁ ହଟାଇବା କାର୍ଯ୍ୟ ଜାରି ରଖିଛି । ତାମିଲନାଡୁର ତିରୁନେଲୱାଲି ଓ ତୁତିକୋରନ ସହ ଅନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ବହୁଛି । ଆସନ୍ତା ୨୪ ଘଂଟାରେ ଉଭୟ ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେବ ବୋଲି ସୂଚନା ମିଳିଛି । କେରଳ ଓ ତାମିଲନାଡୁ ରାଜ୍ୟ ସରକାର ଘୂର୍ଣ୍ଣିଝଡ଼ ଓଖିର ପ୍ରକୋପକୁ ଆଖିରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ହାଇଆଲର୍ଟରେ ରଖିଛନ୍ତି । କନ୍ୟାକୁମାରୀ ଠାରୁ ୬୦ କିଲୋମିଟର ଦୁରେ ଥିବା ଓଖି ଘୂର୍ଣ୍ଣିଝଡ଼ ଆସନ୍ତାକାଲି ସୁଦ୍ଧା ଲାକ୍ଷାଦ୍ୱିପ ପହଂଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ମୁତାବକ, ଏହି ଲଘୁଚାପ ଧୀରେ ଧୀରେ ତାମିଲନାଡ଼ୁ ଉପକୂଳ ଦେଇ ଆନ୍ଧ୍ର ପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଗତି କରିବ । ତିନି ତାରିଖ ବେଳକୁ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । କିନ୍ତୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା କ୍ଷୀଣ । ତଥାପି ୬/୭ ତାରିଖ ବେଳକୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଭଳି ଅଳ୍ପ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ଗତି ନେଇ ରୂପରେଖ ସ୍ପଷ୍ଟ ନ ଥିବା ପାଣିପାଗ କେନ୍ଦ୍ର ଦର୍ଶାଇଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଲଘୁଚାପ ଯୋଗୁଁ ଓଡ଼ିଶାରେ ଦିନେ ଦୁଇଦିନ ଭିତରେ ପାଗ ବଦଳିବାର ସମ୍ଭାବନା ଅଧିକ । ଲଘୁଚାପ ଯୋଗୁଁ ରାଜ୍ୟ ଭିତରକୁ ଅଧିକ ପରିମାଣର ଜଳୀୟବାଷ୍ପ ଆସିବ, ଯାହାଫଳରେ ତାପମାତ୍ରା ବଢ଼ିପାରେ। ଫଳରେ ଆସନ୍ତା ୨/୩ରୁ ୧୦ ତାରିଖ ପର୍ଯ୍ୟନ୍ତ ପାରଦ ଉଠିବ ବୋଲି କୁହାଯାଉଛି ।

ତେବେ ଗତକାଲିର ଥଣ୍ଡାର ମାତ୍ରା ପ୍ରାୟତଃ ସ୍ଥିର ରହିଛି । ଫୁଲବାଣୀ ଏବଂ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ମୋଟ ୨୦ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ପାରଦ । ହୀରାକୁଦରେ ୯.୭ ଡିଗ୍ରୀ, କେନ୍ଦୁଝରରେ ୧୦ ଡିଗ୍ରୀ ଥିବା ବେଳେ ଭବାନୀପାଟଣାରେ ୧୦.୭ ଡିଗ୍ରୀ, ସୁନ୍ଦରଗଡ଼ ୧୧ ଡିଗ୍ରୀ, ଅନୁଗୁଳ ୧୨ ଡିଗ୍ରୀ, ବାରିପଦାରେ ୧୨.୪ ଡିଗ୍ରୀ, କୋରାପୁଟରେ ୧୨.୫ ଡିଗ୍ରୀ, ସମ୍ବଲପୁରରେ ୧୨.୬ ଡିଗ୍ରୀ, ଝାରସୁଗୁଡ଼ା ୧୨.୭ ଡିଗ୍ରୀ, ସୋନପୁର ୧୩ ଡିଗ୍ରୀ, ବଲାଙ୍ଗୀରରେ ୧୩.୨ ଡିଗ୍ରୀ, ଟିଟିଲାଗଡ଼, ବାଲେଶ୍ୱରରେ ୧୩.୫ ଡିଗ୍ରୀ, ଢେଙ୍କାନାଳରେ ୧୩.୭ ଡିଗ୍ରୀ, ତାଳଚେରରେ ୧୪ ଡିଗ୍ରୀ, କଟକରେ ୧୪.୫ ଡିଗ୍ରୀ, ଭୁବନେଶ୍ୱରରେ ୧୪.୬ ଡିଗ୍ରୀ, ଚାନ୍ଦବାଲିରେ ୧୪.୮ ଡିଗ୍ରୀ ରହିଛି ।