କାଲି ଆସିବ ମୈାସୁମୀ, ତାତି କରିବନି କଲବଲ! ହେଲେ ସାମୁଦ୍ରିକ ଝଡ଼ ‘ମୋରା’. . .

40

ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ମୌସୁମୀ କେରଳ ଓ ଉତ୍ତର-ପୂର୍ବାଂଚଳ ଛୁଇଁବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ଓଡ଼ିଶାରେ ଜୁନ୍ ପ୍ରଥମ ସପ୍ତାହରୁ ପ୍ରାକ୍ ମୈାସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ଆକଳନ ପରେ ତାତିରୁ ତ୍ରାହି ପାଇବାକୁ ସମସ୍ତେ ଆଶା ବାନ୍ଧି ବସିଛନ୍ତି ।

ସେପଟେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ମୋରା’ । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ତୀବ୍ର ବାତ୍ୟାର ରୂପ ନେଇପାରେ । ବାତ୍ୟା ମୋରା ଆସନ୍ତାକାଲି ବାଂଲାଦେଶର ଚିଟାଗଙ୍ଗ ନିକଟରେ ମାଡ଼ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

‘ମୋରା’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପାରାଦୀପ ଓ ଗୋପାଳପୁରରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ମୋରା’ର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଂଜରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜାରି ହୋଇଛି ସତର୍କ ସୂଚନା । ମୋରା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ଼ ପାରାଦୀପ ବନ୍ଦର ଠାରୁ ୫୯୦ କିଲୋମିଟର ଦୂରରେ ଏବେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଉତ୍ତରପୂର୍ବ ଦିଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା କୋଲକାତାରୁ ଦକ୍ଷିଣପୂର୍ବ ଦିଗରେ ୬୮୦ ଓ ଚିଟାଗଂଗଠାରୁ ୫୮୦ କିଲୋମିଟର ଦୂରରେ ରହିଛି ।