ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି : ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ, ୧୨ଟି ଏନଡିଆରଏଫ ଟିମ୍ ସଜାଗ

0

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାତ୍ୟା କ୍ୟାଂଟ ମୁକାବିଲା ପାଇଁ ପ୍ରଶାସନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉପକୂଳ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ପୁରୀ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ସମସ୍ତଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଗାଣ ବିଭାଗକୁ ମଧ୍ୟ ଖାଦ୍ୟ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ବିଡିଓଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲାଇଫଗାର୍ଡ ଓ ହୋଟେଲିୟର୍ସଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଓଡିଶାକୁ ବାତ୍ୟା କ୍ୟାଂଟ ଆସିବା ନେଇ ପୂର୍ବାନୁମାନ କରାଯାଉଥିବା ବେଳେ ଏହାର ମୁକାବିଲା ପାଇଁ ସଜାଗ ରହିଛି ଏନଡିଆରଏଫ ଟିମ୍ । କଟକ ମୁଣ୍ଡଳୀ ସ୍ଥିତ ତୃତୀୟ ବାଟାଲିଅନ ଏନଡିଆରଏଫ ଯବାନ ଏବେ ସଜାଗ । ରାଜ୍ୟ ସରକାରଙ୍କ ନିକଟରୁ ସୂଚନା ପାଇବା ମାତ୍ରେ ଉଦ୍ଧାର କାମ କରିବାକୁ ୧୨ଟି ଟିମ୍ ପ୍ରସ୍ତୁତ ହୋଇ ରହିଥିବା ଜଣାପଡିଛି । ଏହା ସହ ଅତିରିକ୍ତ ୬ଟି ଦଳକୁ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଡ କମାଣ୍ଡାଂଟ ।

Comments are closed.