ପୁରୀ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ଭୟଙ୍କର ସାମୁଦ୍ରିକ ଝଡ ।

863

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା ଆଂଶିକ କ୍ଷତିଗ୍ରସ୍ତ ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଅନୁମାନ କରାଯାଇଛି । ତେବେ ଆସନ୍ତାକାଲି ଠାରୁ ପବନର ବେଗ ବଢିବ ଏବଂ ଉପକୂଳବର୍ତି ୧୧ଟି ଜିଲ୍ଲାକୁ ସାମୁଦ୍ରିକ ଝଡ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଫୋନି ଲ୍ୟାଣ୍ଡଫଲ କଲେ ସବୁଠୁ ଅଧିକ ପ୍ରଭାବିତ ହେବ ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । ଝଡର ପ୍ରଭାବରେ ଏସବୁ ଅଂଚଳରେ ପ୍ରବଳ ବର୍ଷା ହେବ । ତେବେ କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା ସେତେଟା ପ୍ରଭାବିତ ହେବ ନାହିଁ । ଯେତେବେଳେ ସାମୁଦ୍ରିକ ଝଡ ଫୋନି ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ସେତେବେଳେ ଝଡ ତୋଫାନ ସହ ପ୍ରବଳ ବର୍ଷା ହେବ । ଆଉ ଏହି ପବନ ବର୍ଷାରେ ଓଡିଶା ଉପକୂଳବର୍ତି ସମସ୍ତ ୧୧ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ୨ ତାରିଖ ସକାଳୁ ବର୍ଷା ଆରମ୍ଭ ହେଉଥିବାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ରହିବ ଝଡର ପ୍ରଭାବ । ତେଣୁ ଏସଆରସିଙ୍କ ପକ୍ଷରୁ ଏହି ଜିଲ୍ଲା ଗୁଡିିକ ପାଇଁ ସତର୍କ ସୂଚନା ଦିଆଯାଇଛି ।

ସେହିପରି ରାୟଗଡା, କନ୍ଧମାଳ, କଳାହାଣ୍ଡି, ବୌଦ୍ଦ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ, ଦେଓଗଡ ଜିଲ୍ଲାରେ ଫୋନିର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ଅଂଚଳରେ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ସାମୁଦ୍ରିକ ଝଡ ଫନିକୁ ଦୃଷ୍ଟିରେ ରଖି ତଳିଆ ଅଂଚଳ ଲୋକମାନଙ୍କୁ ୨ତାରିଖ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ୩ ଓ ୪ତାରିଖରେ ପ୍ରଭାବିତ ଅଚଳକୁ ନଯିବା ପାଇଁ ଅନୁରୋଧ କରାଯାଇଛି । ତେବେ ଏସଆରସିଙ୍କ ସୂଚନା ଅନୁସାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ଥିବା ଆଶ୍ରୟସ୍ଥଳୀରେ ନିରାପତା ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଓ ୨୮ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି ।