ଫଟୋରେ ଫଟୋରେ ‘ଫୋନି’ର ଭୟାବହତା । ନାସା ଜାରି କଲା ବାତ୍ୟା ବିପର୍ଯ୍ୟୟର ଚିତ୍ର ।

396

କନକ ବ୍ୟୁରୋ : ଫଟୋରେ ଫୋନିର ବିପର୍ଯ୍ୟସ୍ତ ଚିତ୍ର । ବାତ୍ୟା ପୂର୍ବର ଓଡିଶା ଏବଂ ବାତ୍ୟା ପରର ଓଡିଶା ଫଟୋ ଜାରି କରିଛି ଆମେରିକୀୟ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ନାସା । ଫୋନି ପରେ ଅଧା ଓଡିଶାର ଚିତ୍ର କେମିତି ବଦଳି ଯାଇଛି, ତାହା ନାସା ଜାରି କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡୁଛି । ଆଲୁଅରେ ଝଲସୁଥିବା ସହର ଏବେ ଅନ୍ଧାରରେ ବୁଡି ରହିଛି ।

ଫଟୋରେ ଫଟୋରେ ଫୋନିର ଭୟାବହତା । ଆମେରିକୀୟ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ନାସା ଜାରି କରିଛି ଫୋନି ବିପର୍ଯ୍ୟୟର ଚିତ୍ର । ଉଜୁଡା ଉପକୂଳ ଓ ବିପର୍ଯ୍ୟସ୍ତ ଜନବସତିର ସାଟେଲାଇଟ ଫଟୋ ଜାରି କରିଛି ନାସା । ପ୍ରାୟ ଦୁଇ ଦଶନ୍ଧି ପରେ ଭାରତୀୟ ଉପକୂଳରେ ମାଡ ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଛି । ଆଉ ମହାକାଶରୁ ସାଟେଲାଇଟ ଜରିଆରେ ଉଠାଇଥିବା ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛି ନାସା । ବାତ୍ୟା ପୂର୍ବର ଓ ବାତ୍ୟା ପରର ଓଡିଶା ତୁଳନାତ୍ମକ ଫଟୋ ସୋସିଆଲ ସାଇଟରେ ନାସା ଛାଡିଛି ।

ଏପ୍ରିଲ ୩୦ରେ ଭୁବନେଶ୍ୱର ଓ କଟକର ଆଲୋକମାଳାର ଫଟୋ ଏବଂ ବାତ୍ୟାର ୨ ଦିନ ପରେ ମେ ୫ର ଅନ୍ଧାରରେ ବୁଡି ଥିବା ସହରର ଫଟୋକୁ ଟ୍ୱିଟରରେ ଜାରି କରାଯାଇଛି । ନାସା ତରଫରୁ କୁହାଯାଇଛି ଏନପିପି ସାଟେଲାଇଟ ଜରିଆରେ ଉତୋଳନ କରାଯାଇଥିବା ଫଟୋକୁ ନାସା ଜାରି କରିଛି । ବାତ୍ୟାରେ ଓଡିଶା ଉପକୂଳର ୧ଲକ୍ଷ ୫୬ହଜାର ବିଜୁଳି ଖୁଂଟି ଉପୁଡି ପଡିଛି । ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକର ବହୁ ଅଂଚଳ ଏବେ ବି ଅନ୍ଧାରରେ ରହିଛି । ରାଜ୍ୟ ସରକାର ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ସୁଦ୍ଧା ବିଦ୍ୟୁତ ସରବରାହ ଠିକ କରାଯିବାର ପ୍ରତିଶ୍ରୁତି ଦେଇ ଯୁଦ୍ଧ କାଳୀନ ଭିତିରେ ସଜଡା କାମ ଚଲାଇଛନ୍ତି । ମେ ୩ ତାରିଖରେ ପୁରୀରେ ମାଡ ହୋଇଥିଲା ବାତ୍ୟା ଫୋନି । ଏଥିରେ ପ୍ରାୟ ୪୧ ଜଣଙ୍କ ଜୀବନ ଯାଇଛି ।