ବାତ୍ୟା ‘ଫୋନି’ । ଜଗନ୍ନାଥ ଧାମ ଆଡକୁ ମାଡି ଆସୁଛି, ଅଧା ରାଜ୍ୟ ଭିଜୁଛି ।

445

କନକ ବ୍ୟୁରୋ : ଜଗନ୍ନାଥଧାମ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ସକାଳ ୮ରୁ ୧୦ଟା ସୁଦ୍ଧା ପୁରୀ ଉପକୂଳ ଛୁଇଁବ ଏହି ସାମୁଦ୍ରିକ ଝଡ । କିନ୍ତୁ ଫୋନିର ପ୍ରଭାବ ଏବେ ଠାରୁ ରାଜ୍ୟର ଅଧା ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଫୋନି ପୁରୀ ଉପକୂଳ ଆଡକୁ ଯେତିକି ପାଖେଇ ଆସୁଛି ପବନର ବେଗ ସେତିକି ବଢିବା ସହ ଭୀଷଣ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ଫୋନିର ପ୍ରଭାବରେ ଅଧା ରାଜ୍ୟ ଏବେ ଭିଜିବା ଆରମ୍ଭ କରିଛି । ରାତି ବଢିବା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ମଧ୍ୟ ବଢି ଚାଲିଛି । କିଛି ସ୍ଥାନରେ ଝିପଝିପ୍ ବର୍ଷା ହେଉଥିବା ବେଳେ କିଛି ସ୍ଥାନରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଛି ।

ଖାସକରି ଫୋନି ଲ୍ୟାଣ୍ଡଫଲ୍ କରିବାକୁ ଥିବା ପୁରୀରେ ପ୍ରବଳ ବେଗରେ ପବନ ଆରମ୍ଭ ହୋଇଥିବା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ସେହିଭଳି ସନ୍ଧ୍ୟାରେ ସ୍ମାର୍ଟସିଟିକୁ ଭିଜାଇଛି ବର୍ଷା । ବର୍ଷାର ପ୍ରକୋପ ଏତେ ବଢିଥିଲା ଯେ, କିଛି ସମୟ ପାଇଁ ଯାତାୟତ ଠପ୍ ହୋଇଯାଇଥିଲା । ଏହାଛଡା କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡା, ଗଞ୍ଜାମରେ ମଧ୍ୟ ଝିପଝିପ ବର୍ଷା ଆରମ୍ଭ ହୋଇଛି ।

ଏସବୁ ଭିତରେ ଫୋନିର ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୋନି ସହ ଫାଇଟ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସୁରକ୍ଷା ଓ ନିରପତ୍ତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସ୍ଥାନାନ୍ତରଣ ପ୍ରକିୟା ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସକାଳେ କୌଣସି ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏପରିକି ବାତ୍ୟା ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।