ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ଫନିକୁ ମାସେ ପୂରିବ : ଏଯାଏଁ ହୋଇପାରିନି ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ, ରିପୋର୍ଟକୁ ଅପେକ୍ଷା କରିଛି କେନ୍ଦ୍ରୀୟ ଟିମ୍

86

କନକ ବ୍ୟୁରୋ : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ରାଜ୍ୟରେ ବିତ୍ପାତ ଘଟାଇଲା । ଗୋଟିଏ କି ଦୁଇଟି ନୁେହଁ, ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହେଲେ । କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କ୍ଷତି ଭରଣା ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଏ ଯାଏ ପୁରୀ ଜିଲ୍ଲାର ଲୋକେ ଦୁର୍ଦଶା ଭିତରୁ ବାହାରି ପାରିନାହାନ୍ତି । ବିଜୁଳି ସେଂଯାଗ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିପାରିନାହିଁ ।

ଏପଟେ ବିପର୍ଯ୍ୟୟକୁ ମାସେ ପୂରିବାକୁ ଯାଉଥିଲେ ବି ଜିଲ୍ଲା ପ୍ରଶାସନର ସ୍ଥାଣୁତା କାରଣରୁ କ୍ଷୟକ୍ଷତି ରିପୋର୍ଟ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଛି  । ଖାସ୍ ଏହି କାରଣରୁ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗତ ମାସ ୧୩ରେ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ ଟିମ୍‌କୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଚୂଡ଼ାନ୍ତ ରିେପାର୍ଟଦେଇପାରିନାହାନ୍ତି ଓ କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିପାରୁନାହାନ୍ତି ।

କେନ୍ଦ୍ରୀୟ ଟିମ୍‌ର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ଗତ ମାସ ୧୩ରୁ ୧୫ ତାରିଖ ଭିତରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ତ୍ବରିତ ଆକଳନର ତଥ୍ୟ ୧୧ ଜଣିଆ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଟିମ୍‌ର ମୁଖ୍ୟଙ୍କୁ ରାଜ୍ୟ ସରକାର ହସ୍ତାନ୍ତର କରିଥିଲେ । ହେଲେ ରାଜ୍ୟର ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ହିଁ କେନ୍ଦ୍ରୀୟ ଟିମ୍ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆଧାରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ବାରା ସହାୟତା ରାଶି ମଞ୍ଜୁର କରାଯିବ। ଉଚ୍ଚସ୍ତରୀୟ କମିଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀ, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେ ସଂପର୍କିତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ମାତ୍ର ଏସବୁ ଏବେ ଠପ୍ ।

 

ଏପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ ପ୍ୟାକେଜ୍‌ ଘୋଷଣା କରିଥିଲେ ହେଁ, ବିପର୍ଯ୍ୟୟର ଶିକାର ହେଉଥିବା ଲୋକଙ୍କ ପାଖରେ ତାହା ଏଯାଏ ପହଞ୍ଚିପାରିନି । ପ୍ରଭାବିତ ୧୪ଟି ଜିଲ୍ଲାରୁ ୧୩ଟି ଜିଲ୍ଲା ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଦେଇଥିବା ରିପୋର୍ଟ ସମ୍ପୂର୍ଣ୍ଣ ନୁହେଁ । କଟକ ଜିଲ୍ଲାରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ପୁଣି ଥରେ ସଂଶୋଧନ କରିବାକୁ ୩ ଦିନ ସମୟ ଲାଗିବ । ସବୁଠାରୁ ଅଧିକ ପ୍ରଭାବିତ ପୁରୀ ଜିଲ୍ଲାରୁ ଏ ଯାଏଁ ରିପୋର୍ଟ ମିଳିନାହିଁ ।

ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ବାସଗୃହ, ନଡ଼ିଆ ଗଛ ଓ ପାନବରଜ ନଷ୍ଟ ହୋଇଥିବା ବିପନ୍ନଙ୍କ କ୍ଷୟକ୍ଷତି ଆକଳନ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି । କିଛି ଅଞ୍ଚଳରେ ନିୟମିତ ସର୍ଭେ ହେଉନାହିଁ । ଆଉ କିଛି ଅଞ୍ଚଳରେ କ୍ଷତି ଏତେ ପରିମାଣରେହୋଇଛି  ଗୋଟିଏ ଲେଖାଏଁ ଗ୍ରାମ କିମ୍ବା ମଉଜାକୁ ସର୍ଭେ ପାଇଁ ସପ୍ତାହ ବିତିଯାଉଛି ।

 

ଫନି ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରିଥିଲେ । ଏହା ପରେ କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଅନୁସାରେ ବାତ୍ୟାରେ ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ଅବଗତ କରାଯାଇଥିଲା । କ୍ଷତି ପାଇଁ ୫ ହଜାର କୋଟି ଟଙ୍କା ଓ ଏସଡିଆରଏଫ୍ ସର୍ତ୍ତାବଳୀ ଅନୁସାରେ ୭ ହଜାର କୋଟି ଟଙ୍କା ଯୋଗାଇ ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା ।