‘ଫୋନି’ର ପ୍ରାମାଣିକ ଚିତ୍ର: କିଭଳି ମୁକାବିଲା କରିଥିଲା ରାଜ୍ୟ ପୋଲିସ୍, ପୁସ୍ତିକା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

105

କନକ ବ୍ୟୁରୋ: ଭୟଙ୍କର ବାତ୍ୟା ‘ଫୋନି’କୁ ଚଟାଣ ଭଳି ସାମ୍ନା କରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷା ଦେଇଥିବା ଓଡ଼ିଶା ପୋଲିସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବେଳେ ଗତ ମେ’ ୩ ତାରିଖରେ ‘ଫୋନି’ ଫଣାରେ ଥିଲା ଓଡ଼ିଶା, ତାହାର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ ଓଡ଼ିଶା ପୋଲସ୍ । ଦିନ ରାତି ଏକ କରି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏବଂ ତାହାକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ଓଡ଼ିଶା ପୋଲିସ୍ ସେନେଇ ପ୍ରାମାଣିକ ଚିତ୍ରର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରକୃତିର ସେହି କରାଳ ମୂହୂର୍ତ୍ତକୁ ଦୀର୍ଘ ଦୁଇମାସ ବିତିଯାଇଛି, ଆଉ ସେହି ଭୟଙ୍କର ବାତ୍ୟା ଏବଂ ତାହାର ପରବର୍ତ୍ତୀ ସହାୟତାରେ କିଭଳି ରହିଥିଲା ରାଜ୍ୟ ପୋଲିସର କାର୍ଯ୍ୟ, ସେନେଇ ସଚିବାଳୟରେ ପ୍ରାମାଣିକ ଚିତ୍ରର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ କହିଛନ୍ତି କି, ବାତ୍ୟା ଫୋନି ସମୟରେ ରାଜ୍ୟ ପୋଲିର କାର୍ଯ୍ୟ ଉଚ୍ଚ ପ୍ରଶଂସାଯୋଗ୍ୟ । ଏହି ପ୍ରାମାଣିକ ଚିତ୍ର ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୋଲିକୁ ମାର୍ଗଦର୍ଶନ କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ‘ଫୋନି’ ସମୟରେ ପ୍ରଭାବତି ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଆଇନଶୃଙ୍ଖଳା ରକ୍ଷା, ରିଲିଫ୍ ସାମଗ୍ରୀ ପରିବହନ ଓ ବଣ୍ଟନ, ରନ୍ଧା ଖାଦ୍ୟ ଯୋଗାଣ ସମେତ ଆହାତ ଲୋକଙ୍କ ଚିକିତ୍ସା ସୁବିଧା ଭଳି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପୋଲିସର କାର୍ଯ୍ୟ ସମ୍ପର୍କରେ ଏହି ପ୍ରାମାଣିକ ଚିତ୍ର ବର୍ଣ୍ଣିତ ହୋଇଛି । ଏହି ଅବସରରେ ପୋଲିସ ଡିଜି ସ୍ୱାଗତ ଭାଷଣ ଦେଇଥିବାବେଳେ, ପୋଲିସ କମିଶନର ଧନ୍ୟବାଦ ଜଣାଇଥିଲେ । ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ ।