ଓଡ଼ିଶା ଛୁଇଁବ ନାହିଁ ‘ବୁଲବୁଲ୍’ ! ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ଏସଆରସି କହିଲେ, ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

1,566

କନକ ବ୍ୟୁରୋ : ବାତ୍ୟାକୁ ନେଇ ଭୟ ଧୀରେ ଧିରେ କମିବାରେ ଲାଗିଛି । ବଙ୍ଗୋପସାଗରରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଂଟା ମଧ୍ୟରେ ବାତ୍ୟାର ରୂପ ନେଇ ଉତର-ଉତରପଶ୍ଚିମ ଦିଗରେ ଗତି କରିବ । ଏହା ଫଳରେ ବାତ୍ୟା ବୁଲବୁଲର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ଉପକୂଳ ଅଂଚଳରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ମାଡ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ।

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଂଚିଥିବା ଗଭୀର ଅବପାତର ଇଏ ହେଉଛି ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ତାଜା ଚିତ୍ର । ଏହି ଚିତ୍ର ବୟାନ କରୁଛି, ସ୍ଥଳଭାଗ ଆଡକୁ ଅଗ୍ରସର ହେଉଥିବା ଏହି ଗଭୀର ଅବପାତ ଧୀରେ ଧୀରେ ଭୟଙ୍କର ରୂପ ନେଉଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ । ପରବର୍ତ୍ତୀ ୨୪ ଘଂଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

ପାରାଦୀପ ଠାରୁ ୮୧୦ କିଲୋମିଟର ଦୂରରେ ରହିଥିବା ଏହି ସାମୁଦ୍ରିକ ଝଡ ଉତ୍ତରପଶ୍ଚିମ ଦିଗରେ କିଛି ସମୟ ପାଇଁ ଗତି କରିବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ଚିତ୍ର ମଧ୍ୟ ସ୍ପଷ୍ଟ ବୟାନ କରୁଛି, ଯେ ଓଡିଶା ଉପକୂଳ ଦେଇ ଝଡ ଆଗକୁ ବଢିବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । କିନ୍ତୁ ପାଣିପାଗ ବିଭାଗ କହୁଛି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେ ଠାରୁ କହିବା ମୁସକିଲ୍ । ଗୁରୁବାର ସୁଦ୍ଧା ଏହା ସ୍ପଷ୍ଟ ହେବ ବୋଲି ବିଭାଗ ଆଶା ରଖିଛି ।

ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର-ଉପକୂଳ ଅଂଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏଥିସହ ଉପକୂଳ ଅଂଚଳରେ ୪୦ରୁ ୫୦ କିଲୋମିଟର୍ ବେଗରେ ପବନ ବହିବାର ସମ୍ଭାବନା ଅଛି । ତେବେ ପବନର ବେଗ ଆଗକୁ ୬୦ କିଲୋମିଟର ଛୁଇଁବାର ଆଶଙ୍କା ମଧ୍ୟ ରହିଛି ।
ଆଇଏମଡି ସୂଚନା ଆଧାରରେ ଏସଆରସି ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କମ୍ । ତଥାପି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି । ନଭେମ୍ବର ୮ ତାରିଖରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।