ସ୍ଥଳଭାଗ ଛୁଇଁଲା ‘ବୁଲବୁଲ୍’ । ପଶ୍ଚିମବଙ୍ଗ ଗଙ୍ଗେୟ ଡେଲଟାରେ କଲା ଲ୍ୟାଣ୍ଡଫଲ୍, ୧୫୦ରୁ ୧୬୦ କିଲୋମିଟର ବେଗରେ ବହୁଛି ପବନ ।

4,014

କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲର ଲ୍ୟାଣ୍ଡଫଲ ବା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗର ଗଙ୍ଗେୟ ଡେଲଟା ନିକଟରେ ଏହାର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ବାହାର ଭାଗ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ଓ ଏହାର କେନ୍ଦ୍ରସ୍ଥଳ ବା ଆଇ ସ୍ଥଳଭାଗ ଅତିକ୍ରମ କରିବାକୁ ଆଉ ପ୍ରାୟ ୧ ଘଣ୍ଟା ଲାଗିପାରେ ଓ ଏହା ସଂପୂର୍ଣ୍ଣଭାବେ ସ୍ଥଳଭାଗ ଅତିକ୍ରମ କରିବାକୁ ପ୍ରାୟ ୩ ଘଣ୍ଟା ସମୟ ନେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ବାତ୍ୟାର ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏବେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟରରେ ପହଞ୍ଚିଛି । ଏହା ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି । ବାତ୍ୟା ପ୍ରଭାବରେ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନ ବନ୍ଦରକୁ ଆଜି ସଂଧ୍ୟା ୬ଟା ପରେ ବନ୍ଦ କରିଦିଆଯାଇଛି । ୧୨ ଘଣ୍ଟା ପାଇଁ ଏହା ବନ୍ଦ ରହିବ ।