ସମୟ ଗଡୁଛି, ସ୍ଥାନାନ୍ତର ଚାଲିଛି: ‘ବୁଲବୁଲ’ ନୁହେଁ ଓଡିଶା ଛାତିରେ ବର୍ଷାର ଛନକା । ପବନ ବଢିବା ପୂର୍ବରୁ ପ୍ରଶାସନର ପ୍ରସ୍ତୁତି

1,467

କନକ ବ୍ୟୁରୋ: ବାତ୍ୟା ‘ବୁଲବୁଲ’ ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବାତ୍ୟା ଯେତେ ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ଏହାର ପ୍ରଭାବ ସେତେ ସେତେ ପଡୁଛି । ତେବେ ୯ ତାରିଖ ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡପଲ କରିବାକୁ ଥିବା ବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି ।

ତେବେ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ହୋଇଛି । ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରୁ ୨୫୦ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ବାଲେଶ୍ୱର ବାଲିଆପାଳରେ ମଧ୍ୟ ୧୨୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ସମୁଦ୍ର କୂଳରେ ଥିବା ଉଠା ଦୋକାନୀଙ୍କୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର କୂଳିଆ ଅଞ୍ଚଳରେ ବର୍ଷା, ପବନ ଜୋର ହେବାର ଆଶଙ୍କା କରାଯାଉଥିବାରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଉଛି ।