ବୃଦ୍ଧାବସ୍ଥାରେ ବଡ ଦୁଃଖ ଦେଲା ବୁଲବୁଲ । ସାରା ଜୀବନ ସଞ୍ଚି ତୋଳିଥିବା ଘର ଭାଙ୍ଗି ଦେଲା, ବେସାହାରା ଦମ୍ପତିଙ୍କୁ ବେଘର କରିଦେଲା

870

କନକ ବ୍ୟୁରୋ: ସବୁ ସରିଗଲା… ବୁଲବୁଲ ସବୁ ଉଜାଡି ଦେଲା । ଜୀବନ ଯାକ ସଞ୍ଚି ଦୁଃଖ କଷ୍ଟରେ ଯେଉଁ ଘର ଖଣ୍ଡେ କରିଥିଲୁ ତାକୁ ବି ଭାଙ୍ଗିଦେଲା ଏ ବାତ୍ୟା । ଏବେ ଆମେ କଣ କରିବା… କେମିତି ଚଳିବା… ମୋତେ କିଛି ବୁଦ୍ଧି ବାଟ ଦିଶୁନି… । ବାତ୍ୟା ବୁଲବୁଲ ଘର ଭାଙ୍ଗିଦେବା ପରେ ଭଙ୍ଗା ଘରକୁ ଚାହିଁ ବାହୁନି ବାହୁନି କାନ୍ଦୁଛନ୍ତି ବୃଦ୍ଧ ଦମ୍ପତ୍ତି ।

ବାତ୍ୟା ବୁଲବୁଲ ବଳ ଗୋଟେଇ ପଶ୍ଚିମବଙ୍ଗ ଯିବା ବାଟରେ ଓଡିଶା ଉପରେ ଏହାର ବଡ ପ୍ରଭାବ ପକାଇଛି । ଆଉ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ରାଜନଗରର ଜଣେ ବୃଦ୍ଧ ଦମ୍ପତିଙ୍କ ଘର ଭାଙ୍ଗି ଯାଇଛି । ଗତ ରାତିରେ ବର୍ଷା ପବନ ବଢିବା ପରେ ଘରେ ଶୋଇପଡିଥିଲେ ସ୍ୱାମୀସ୍ତ୍ରୀ । ହେଲେ ରାତି ୨ଟା ବେଳକୁ ହଠାତ ଘର ପାଖରେ ଥିବା ଗଛର ଡାଳ ଭାଙ୍ଗିଥିଲା । ଆଉ ଘର ଛପର ଉପରେ ପଡି ଆଜବେଷ୍ଟ ଭାଙ୍ଗିଥିଲା ।

ଡାଲ ପଡିବା ପରେ ସ୍ୱାମୀ କାର୍ତ୍ତିକ ସେଠୀ ଓ ତାଙ୍କ ସ୍ତ୍ରୀ ରେବତୀ ସେଠୀ ଘରୁ ବାହାରକୁ ବାହାରି ଯାଇଥିଲେ ବି ବର୍ଷା ବଢିବା ପରେ ରାତି ସାରା ଏଇ ଭଙ୍ଗା ଘରେ ରହିଥିଲେ । ସେପଟେ ବୃଦ୍ଧ ଦମ୍ପତିଙ୍କ କେହି ନଥିବାରୁ ଏଭଳି ପରିସ୍ଥିତିରେ କେମିତି ଉଜୁଡା ଘରକୁ ସଜାଡିବେ ସେହି ଚିନ୍ତାରେ କାନ୍ଦି କାନ୍ଦି ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି ।