ବଙ୍ଗୋପସାଗରର ଲଘୁଚାପ ୨ଦିନରେ ନେଇପାରେ ଘୂର୍ଣ୍ଣିଝଡର ରୂପ : ବାତ୍ୟାର ନାଁ ରହିବ ‘ଭର୍ଦା’

34

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଓଡିଶାର ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗକୁ ୧୨ଶହ ୧୦ କିଲୋମିଟର ଦୂରରେ ରହିଛି । ସେହିପରି ଆନ୍ଧ୍ରପ୍ରଦେଶ ବିଶାଖାପଟନମଠାରୁ ୧୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତମାନ ଏହା ଚେନ୍ନାଇର ପୋର୍ଟବ୍ଲେୟାରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମକୁ ୩୧୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି ।

ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନର ରୂପ ନେବା ସମ୍ଭାବନା ରହିଛି ଏବଂ ପରବର୍ତୀ ୨୪ ଘଂଟାରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛିି ଭାରତୀୟ ପାଣିପାଗ ବିଭାଗ । ବର୍ତମାନ ଏହି ଲଘୁଚାପ ଯୋଗୁଁ ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ସହ ଜୋର ପବନ ବହୁଛି । ଆଗାମୀ ୪୮ ଘଂଟାରେ ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲେ ବର୍ଷାର ପରିମାଣ ଓ ପବନର ବେଗ ବଢିବା ଆଶଙ୍କା ରହିଛି ।

ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ଗତିପଥ ନେଇ ଆଇଏମଡି କୌଣସି ନିର୍ଦ୍ଧିଷ୍ଟ ଆକଳନ କରିନଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ମୃତ୍ୟୁଂଜୟ ମହାପାତ୍ର । ଆସନ୍ତା ୨ଦିନ ମଧ୍ୟରେ ଏହାର ପୂର୍ବାନୁମାନ କରାଯାଇପାରିବ ବୋଲି ସେ କହିଛନ୍ତି । କେଉଁ ଉପକୂଳ ଦେଇ ଏହି ବାତ୍ୟା ଗତି କରିବ ତାହା ବର୍ତମାନ କହିବା ସମ୍ଭବ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି ।

ପାଣିପାର ସଂପର୍କରେ ପୂର୍ବାନୁମାନ କରୁଥିବା ଆଉଏକ ସଂସ୍ଥା ଆକ୍ୟୁ ୱେଦର କହିଛି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଲେ ଏହାର ନାଁ ରହିବ ‘ଭର୍ଦା’ । ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଏହା ଚଳିତ ସପ୍ତାହ ଶେଷ ଆଡକୁ ଭାରତ ଭୂଖଣ୍ଡ ଛୁଇଁବ । ଆଗାମୀ ଶନିବାର କିମ୍ବା ରବିବାର ସୁଦ୍ଧା ଏହା ଚେନ୍ନାଇରୁ ବିଶାଖାପାଟନମ ମଧ୍ୟରେ ସ୍ଥଳଭାଗକୁ ଛୁଇଁବା ଆଶଙ୍କା ରହିଛି ।

ଶନିବାର ରାତି ସୁଦ୍ଧା ଏହା ଉତର-ପଶ୍ଚିମ ଦିଗକୁ ଗତିକରି ଚେନ୍ନାଇ, ନେଲୋର, ଓଙ୍ଗଲୋ, କାକିନାଡା କିମ୍ବା ବିଶାଖପାଟନମର ଯେକୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବା ଆଶଙ୍କା ରହିଛି । ଏହାର ପ୍ରଭାବରେ ଘଂଟାପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଉଛି । ସେହିପରି ବାତ୍ୟା କେନ୍ଦ୍ରସ୍ଥଳର ୧୦୦ କିଲୋମିଟର ପରିଧିରେ ପବନର ବେଗ ଅଧିକ ରହିବ ଓ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆକ୍ୟୁୱେଦର କହିଛି ।

ଅନ୍ୟଏକ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ‘ଭର୍ଦା’ର ରୂପ ନେଲେ ତାମିଲନାଡୁ ଉପକୂଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦିଓ ଚେନ୍ନାଇର ପୋର୍ଟବ୍ଲେୟାରଠାରୁ ବର୍ତମାନ ଏହା ୩୧୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗକୁ ସ୍ଥିର ରହିଛି । କିନ୍ତୁ ଆଗାମୀ ଦିନରେ ଏହା ଉତର-ପଶ୍ଚିମକୁ ଗତି କରି ଚେନ୍ନାଇ ଉପକୂଳ ଛୁଇଁପାରେ ।

ଦେଖନ୍ତୁ ଏହି ଭିଡିଓ –