‘ଅମ୍ଫାନ’ ପ୍ରକୋପରେ ପ୍ରଭାବିତ ହେବ ରାଜ୍ୟର ୬ଟି ଜିଲ୍ଲା ! ଗଞ୍ଜାମ, ନୟାଗଡ ଓ ଗଜପତିରେ ଏବେ କୌଣସି ପ୍ରଭାବ ନାହିଁ: ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ହେବ ବେଶୀ ପ୍ରଭାବିତ
କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ ଉତ୍ତର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଧା, କଟକ, ଯାଜପୁରରେ ବର୍ଷା ସହିତ ପବନର ବେଗ ୫୫ରୁ ୬୫ କିଲୋମିଟର ରୁ ଅଧିକ ବଢିପାରେ । ହେଲେ ସ୍ଥଳବିଶେଷରେ ୭୫କିଲୋମିଟର ବେଗରେ ଧକ୍କା ଦେବ। ତେବେ ଉତ୍ତର ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ପବନର ବେଗ ୧୨୦ କିଲୋମିଟର ପର୍ୟ୍ୟନ୍ତ ଛୁଇଁପାରେ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ ରାସ୍ତାରେ ବୁଲ୍ ବୁଲ୍ ଯାଇଥିଲା, ପାଖାପାଖି ସେହି ରାସ୍ତାରେ ତା’ଠାରୁ ଅଧିକ ଉଗ୍ର ରୂପ ଧରି ବାତ୍ୟା ଅମ୍ଫାନ୍ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୮୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ। ଅପରାହ୍ନ ୪ଟା ବେଳକୁ ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ।
ଓଡ଼ିଶାରେ ମଧ୍ୟାହ୍ନ ୧୨ଟାରୁ ୨ଟା ଯାଏ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ, ଯଦିଓ ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟା ଅମ୍ଫାନ୍ ତାର ଉପସ୍ଥିତି ସଂପର୍କରେ ଏବେଠାରୁ ଆଭାସ ଦେଇସାରିଲାଣି। ଗଞ୍ଜାମ ଠାରୁ ଆରମ୍ଭ କରି ପୁରୀ, ଭଦ୍ରକ ଯାଏ ପବନର ଗତି ଧୀରେ ଧୀରେ ବଢିବା ଆରମ୍ଭ କରିଛି, ବର୍ଷା ବି। ଗୋପାଳପୁରରେ ଜୁଆର ଉଠିଲାଣି।