ଅମ୍ଫାନ ଆସିବା ଆଗରୁ ଓଡିଶାରେ ଆରମ୍ଭ ହେଲା ମୁକାବିଲା ରଣନୀତି । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ସହ,ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ଉପରେ ଗୁରୁତ୍ୱ । ସେପଟେ କରୋନାକୁ ନେଇ କେମିତି ରହିବ ସାମାଜିକ ଦୂରତା ତାକୁ ନେଇ ଉଠିଲା ପ୍ରଶ୍ନ ?

464

କନକ ବ୍ୟୁରୋ: ଗୋଟିଏ ପଟେ ବାତ୍ୟାର ଭୟ ଆଉ ଗୋଟିଏ ପଟେ କରୋନା ସହ ଲଢେଇ । ଏଭଳି ସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଲୋକଙ୍କ ସ୍ଥାନାନ୍ତରଣ । କାହିଁକି ନା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ସ୍ଥାନାନ୍ତରଣ କଲା ବେଳେ ସାମାଜିକ ଦୂରତା ରଖିବା ଏତେଟା ସହଜ ନୁହେଁ । ସେହିପରି ସ୍ଥାନାନ୍ତରିତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ସାମାଜିକ ଦୂରତା ସହ ରଖିବା ବି ଏକ ବଡ ଆହ୍ୱାନ ।

ଅମ୍ଫାନ ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ସରକାର, ପ୍ରଶାସନ, ଏନଡିଆରଏଫ ଓ ଓଡ୍ରାଫ ସମସ୍ତେ ପ୍ରସ୍ତୁତ । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଯୋଜନା ହୋଇଛି । ହେଲେ କରୋନାର ଭୟ ସୁରକ୍ଷିତ ସ୍ଥାନାନ୍ତରଣକୁ ନେଇ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଏଥିପାଇଁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ସାମାଜିକ ଦୂରତାରେ ଲୋକଙ୍କୁ ରଖିବା ପାଇଁ ଅଂଟା ଭିଡିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

ବହୁ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ ସେଂଟର ଖୋଲିଛି । ଏଭଳି ସ୍ଥିତିରେ କେନ୍ଦ୍ରାପଡାରେ ଯେଉଁ କୋଭିଡ ସେଂଟରକୁ ଏଯାଏଁ କୈାଣସି ସନ୍ଦିଗ୍ଧ ଆସି ନାହାଁନ୍ତି ସେସବୁକୁ ଖାଲି କରି ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ବାଲେଶ୍ୱର ଜିଲ୍ଲା ଅମ୍ଫାନ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେପଟେ କରୋନା ସଂକ୍ରମଣ ଓ ପ୍ରବାସୀଙ୍କ ରହଣି ବି ବାଲେଶ୍ୱରରେ ଏକ ବଡ ଆହ୍ୱାନ । ଏଭଳି ସ୍ଥିତିରେ କମ ସଂଖ୍ୟାରେ କରୋନା ସନ୍ଦିଗ୍ଧ ଥିବା କୋଭିଡ ସେଂଟରକୁ ଖାଲି କରି ସାନିଟାଇଜ କରାଯିବ ବୋଲି ଜଣାପଡିଛି । ପରବର୍ତ୍ତୀ ସମୟରେ ଏହାକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ସେପଟେ ସମୁଦ୍ରକୂଳରୁ ୩ କି.ମି. ଦୂରରେ ଥିବା କ୍ୱାରେଂଟିନ ସେଂଟରରୁ ବି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ବାତ୍ୟା ମୁକାବିଲା ଭିତରେ ପ୍ରଥମ ଥର ପାଇଁ ସାମାଜିକ ଦୂରତା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଏଠି ପ୍ରଶ୍ନ ଉଠୁଛି ଲୋକଙ୍କୁ ସ୍ଥାନାନ୍ତର କଲା ବେଳେ ଉଦ୍ଧାରକାରୀ ଟିମ ଓ ଲୋକଙ୍କ ଭିତରେ କେମିତି ସାମାଜିକ ଦୂରତା ରହିବ? ସ୍ଥାନାନ୍ତରିତ ହୋଇଥିବା ଲୋକ ଆଶ୍ରୟସ୍ଥଳୀରେ କିଭଳି ସାମାଜିକ ଦୂରତା ରଖିବେ?