ଓଡ଼ିଶାକୁ ପୁଣି ବାତ୍ୟା ଭୟ: ୭ରେ ଘୂର୍ଣ୍ଣିବଳୟ, ୯ରେ ଲଘୁଚାପ ରୂପ ନେଇପାରେ…ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍’ ୧୪ ବେଳକୁ ଓଡ଼ିଶା ପାଖରେ ପହଞ୍ଚିବା ସମ୍ଭାବନା

୧୩ରେ ଆନ୍ଧ୍ର ଉପକୂଳ ଛୁଇଁବ

1,419

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ରହିଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍। ମିଳିଥିବା ସୂଚନା ଅନୁସାରେ, ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ବିଲୀନ ହୋଇପାରେ। ହେଲେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ସୃଷ୍ଟି ହୋଇଛି ଓ ଏହା ବର୍ତମାନର ଲଘୁଚାପ ସହିତ ମିଶି ବାତ୍ୟା ରୂପ ନେଇପାରେ େବାଲି ଆଶଙ୍କା ପ୍ରକାଶ ପାଇଲାଣି। ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ, ବାତ୍ୟା ରୂପ ନେଲେ ଏହା କେତେ ଭୀଷଣ ରୂପ ଧାରଣ କରିବ, ସର୍ବୋପରି କେଉଁଠାରେ ସ୍ଥଳଭାଗକୁ ଛୁଇଁବ, ତାହା ଆସନ୍ତା ୭, ୯ ଓ ୧୧ ତାରିଖରେ ସ୍ପଷ୍ଟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ବାତ୍ୟା ରୂପ ନେଲେ ଏହାର ନାମ ‘ଆମ୍ଫାନ’ ହେବ ବୋଲି କୁହାଯାଉଛି।

ବିଭିନ୍ନ ମଡେଲକୁ ଅନୁଧ୍ୟାନ କରିବା ପରେ ପାଣିପାଗ ବିଜ୍ଞାନୀ ଅବସରପ୍ରାପ୍ତ ପ୍ରଫେସର ଡ. ସୁେରନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ୧ ତାରିଖରେ ସୃଷ୍ଟି େହାଇଥିବା ଲଘୁଚାପ ସେହି ସ୍ଥାନରେ ସ୍ଥିର ରହିଛି। ପ୍ରତିକୂଳ ପରିସ୍ଥିତି ଯୋଗୁଁ ଘନୀଭୂତ ହୋଇପାରୁନାହିଁ। ଆସନ୍ତା ୬ କିମ୍ବା ୭ ତାରିଖ ବେଳକୁ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ୭ତାରିଖ ବେଳକୁ ଏହା ଦୁର୍ବଳ ହୋଇ ବିଲୀନ ହେବ।

ଭାରତୀୟ ପାଣିପାଗ ବିଭାଗର ୱେବସାଇଟ୍ ବା ଜିଏଫଏସ୍ ମଡ଼େଲ କହୁଛି, ୭ ତାରିଖ ବେଳକୁ ଶ୍ରୀଲଙ୍କା ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତେବେ ବର୍ତମାନର ଲଘୁଚାପ ସହିତ ଏହି ଘୂର୍ଣ୍ଣବଳୟର ସମ୍ମିଶ୍ରଣ ଘଟିବା ପରେ ଏହା ଅଧିକ ଘନୀଭୂତ ହୋଇ ୯ ତାରିଖ ବେଳକୁ ଲଘୁଚାପ ରୂପ ନେବ। ପରେ ପୁଣି ଏହା ଆହୁରି ଅଧିକ ଘନୀଭୂତ ହୋଇ ୧୧ ତାରିଖ ବେଳକୁ ଚେନ୍ନାଇଠାରୁ ଦୂରରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ରହିବ। ଏହି ଆକଳନ ଅନୁସାରେ, ୧୩ ତାରିଖ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳରେ ଓ ୧୪ ତାରିଖରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବଙ୍ଗଲାଦେଶ ଆଡକୁ ମୁହାଁଇପାରେ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବଡ଼ ପବନ ଓ ଭୀଷଣ ବର୍ଷା ସମ୍ଭାବନା ଏଡ଼ାଇ ଦେଇ ହେବ ନାହିଁ।

ସେପଟେ ୟୁରୋପିଆନ୍ ମଡ଼େଲ୍ ଅନୁସାରେ, ୭ ତାରିଖ ବେଳକୁ କେରଳ-ତାମିଲନାଡୁ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୧୦ ତାରିଖ ବେଳକୁ ଘନୀଭୂତ ହେବ। ତେବେ ଏହା ବାତ୍ୟା ରୂପ ନେବ କି ନାହିଁ, ତାହା ନେଇ ଏହି ମଡ଼େଲ ବର୍ତମାନ ନିରବ ରହିଛି। ଡ.ପଶୁପାଳକଙ୍କ ଆକଳନ କହୁଛି, ବାତ୍ୟା ପାଇଁ ପରିସ୍ଥିତି ବେଶ ଅନୁକୂଳ ରହିଛି। ଭାରତ ସଂଲଗ୍ନ ଭାରତ ମହାସାଗରରେ ପଶ୍ଚିମାପବନ ଜୋରରେ ବହୁଛି। ବାରମ୍ବାର ମେଘ ସୃଷ୍ଟି କରାଉଛି। ଆରବ ସାଗରରୁ ଉତ୍ତରାପବନ ଭାରତ ମହାସାଗରକୁ ଆସୁଛି ଓ ଭାରତ ମହାସାଗରୀୟ ପବନ ଉତ୍ତର ପୂର୍ବ ଦିଗରେ ବଙ୍ଗୋପସାଗର ଉପରେ ପ୍ରବାହିତ ହେଉଛି। ଏଣୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହି ସମୟରେ ସମୁଦ୍ରରେ ଜଳପତନରେ ତାପମାତ୍ରା ୩୧ ଡିଗ୍ରି ସେଲସିୟସ ରହିଥିବା ହିସାବ କରାଯାଉଛି। ଯାହା ବାତ୍ୟା ପାଇଁ ଅଧିକ ସୁଯୋଗ ସୃଷ୍ଟି କରୁଛି। ତେବେ ଏମଜିଓ ୧୧ ତାରିଖ ଯାଏ ଦୁର୍ବଳ ରହୁଥିବା କାରଣ କେତେକ ମଡେଲରେ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ତେବେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଜିଏଫ୍ଏସ୍ ମଡେଲ୍ ଏ ନେଇ ସଙ୍କେତ ଦେବା ସହିତ ୯ ତାରିଖ ବେଳକୁ ସ୍ପଷ୍ଟ କରିବ େବାଲି ସୂଚାଇଛି। ଏଥିସହିତ ସମ୍ଭାବ୍ୟ କ୍ଷେତ୍ର ଉପରେ ନଜର ରଖିଛି।