ଏଣିକି ୫୦ ହଜାର ଟଙ୍କିଆ ସାଇକେଲର ମଜା ଉଠାଇବେ ଭୁବନେଶ୍ୱରବାସୀ ! ବିଏମସି ଖୁବଶୀଘ୍ର ଆରମ୍ଭ କରିବ ସାଇକେଲ ସେୟାରିଂ ବ୍ୟବସ୍ଥା, ଆସିବ ୨୦୦୦ ହଜାର ସାଇକେଲ

69

କନକ ବ୍ୟୁରୋ : ସ୍ମାର୍ଟ ହେଉଛି ରାଜଧାନୀ ଭୁବନେଶ୍ୱର । ଆଉ ଏହାକୁ ଲକ୍ଷ୍ୟ କରି ଭୁବନେଶ୍ୱର ପାଇଁ ବିଭନ୍ନ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଆଉ ଏହି କ୍ରମରେ ଏଣିକି ସ୍ମାର୍ଟ ସିଟି ଭୁବନେଶ୍ୱରରେ ହେବ ସାଇକେଲ ସେୟାରିଂ ବ୍ୟବସ୍ଥା । ଭଡାରେ ସାଇକେଲ ନେଇପାରିବେ ଯାତ୍ରୀ । ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ନେଇ ପାରିବେ ଯାତ୍ରୀ । ୩୦ ମିନିଟରୁ ଅଧିକ ହେଲେ ଯାତ୍ରୀଙ୍କୁ ପାଉଣା ଦେବା ପାଇଁ ପଡିବ । ଏନେଇ ବ୍ୟବସ୍ଥା କରୁଛି ବିଏମସି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୨ ହଜାରରୁ ଅଢେଇ ହଜାର ସାଇକେଲ ଆସିବ । ଠିକ୍ ସେହିପରି ୧ମ ପର୍ଯ୍ୟାୟରେ ମୁଖ୍ୟ ରାସ୍ତାଗୁଡିକର ପାଶ୍ୱର୍ରେ ୪୦ କି.ମି ପର୍ଯ୍ୟନ୍ତ ହେବ ସାଇକେଲ ଟ୍ରାକ । ଏଥିପାଇଁ ପ୍ରଥମେ ୩ଟି ରୁଟକୁ ଚିହ୍ନଟ କରିଛି ବିଏମସି । ଗୋଟିଏ ଏୟାରପୋର୍ଟରୁ କିଟ ସ୍କୋୟାରକୁ ଯିବ । ୨ୟ ରୁଟଟି ବାଣିବିହାରରୁ ରାଜମହଲ ଛକ ଏବଂ ୩ୟ ଟି ରାଜଭବନ ଛକରୁ ଜୟଦେବ ବିହାର ଅଭିମୁଖେ ଯିବେ ।

ସୁବଠୁ ବଡ଼ କଥା ହେଲା ମୋବାଇକ ନାମକ ଏକ ଅର୍ନ୍ତଜାତୀୟ କମ୍ପାନି ପ୍ରଥମ ପର୍ଯ୍ୟାୟରେ ୨୦୦୦ ହଜାର ଅତ୍ୟାଧୁନିକ ସାଇକେଲ ବିଏମସିକୁ ଦେବ । ଏହି ସାଇକେଲ ଗୁଡ଼ିକ ମୋବାଇକ ମୋବାଇଲ ଆପ ମାଧ୍ୟମରେ ଚାଲିବ । ଏହାକୁ ଟ୍ରାକ କରିବା ପାଇଁ ସାଇକେଲରେ ଜିପିଏସ ସିଷ୍ଟମ ରହିଛି । ଏହି ଅତ୍ୟାଧୁନିକ ସାଇକେଲର ଦାମ ପାଖାପାଖି ୪୦ରୁ ୫୦ ହଜାର ଟଙ୍କା ରହିଛି । ଏହି ବ୍ୟବସ୍ଥାକୁ ଆସନ୍ତା ନଭେମ୍ବର ମାସ ଅର୍ଥାତ ପୁରୁଷ ବିଶ୍ୱ ହକି କପ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ପରବର୍ତି ପର୍ଯ୍ୟାୟରେ ଅର୍ଥାତ ୫ ବର୍ଷ ଭିତରେ ୧୨୦ କି.ମି ସାଇକେଲ ଟ୍ରାକ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା । ଏହାଛଡ଼ା ଭିଡ ରୋକିବା ପାଇଁ ମଧ୍ୟ ଏହି ଅଭିନବ ବ୍ୟବସ୍ଥା କରାଯାଉଛି । ପୁଣେ ଓ ଭୋପାଳରେ ମଧ୍ୟ ଏହି ସାଇକେଲ ସେୟାରିଂ ବ୍ୟବସ୍ଥା ଲାଗୁ କରାଯାଇଛି । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।