ରାଜଧାନୀରେ ‘ପବ୍ଲିକ ସାଇକେଲ୍ ସେୟାରିଂ’ଯୋଜନା ! ଜାନୁୟାରୀରୁ ଭଡ଼ାରେ ମିଳିବ ସାଇକେଲ
କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକ ଯେପରି ସାଇକେଲରେ ଯାତାୟାତ କରିବେ ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ‘ପବ୍ଲିକ ସାଇକେଲ୍ ସେୟାରିଂ’ ଯୋଜନା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିରେ ଲୋକଙ୍କୁ ହାତପାହାନ୍ତାରେ ସାଇକେଲ ଯୋଗାଇ ଦିଆଯିବ । ଲୋକ ଟ୍ରେନ୍, ବସ୍, ସିଟି ବସ୍ ଓ ଅଟୋରୁ ଓହ୍ଲାଇଲେ ଯେପରି ଘର କିମ୍ବା ଯେକୌଣସି ସ୍ଥାନକୁ ସହଜରେ ଯା ଆସ କରିପାରିବେ ସେଥିପାଇଁ ସାଇକେଲ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର ହୋଇଛି । ରାଜଧାନୀରେ ଏହି ପବ୍ଲିକ ବାଇସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଟେଣ୍ଡର୍ ଆହ୍ଵାନ ହୋଇଛି । ଆସନ୍ତା ୨୧ତାରିଖରେ ପ୍ରି ବିଡ୍ ବୈଠକ ହେବାକୁ ଥିବାବେଳେ ଡିସେମ୍ବର ସୁଦ୍ଧା ଟେଣ୍ଡର୍ ପ୍ରକ୍ରିୟା ଶେଷ ହେବ ଏବଂ ଆସନ୍ତା ଜାନୁଆରିରୁ ରାଜଧାନୀରେ ଭଡ଼ାରେ ସାଇକେଲ୍ ମିଳିବ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କେମିତି ହେବ ସାଇକଲ୍ ସେୟାରିଂ ଢାଞ୍ଚା –
ସହରର ବିଭିନ୍ନ ଅଂଚଳକୁ ନେଇ ୭୦ସାଇକେଲ୍ ଷ୍ଟେସନ୍ ରହିବା ପାଇଁ ସ୍ଥିର ହୋଇଥିବା ବେଳେ ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦୦ ସାଇକେଲ୍ ରହିବ । ସେହିଭଳି ସାଇକଲ୍ ସେୟାରିଂକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ ୩୦ ମିନିଟ୍ ପାଇଁ ବ୍ୟବହାରକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହାପରେ ସ୍ୱଳ୍ପ ମୂଲ୍ୟରେ ଦେୟ ଦେଇ ସାଇକଲ୍ ବ୍ୟବହାର କରିହେବ । ସାଇକେଲ୍ ଷ୍ଟେସନ୍ ପାଇଁ ପ୍ରାଥମିକ ସ୍ତରରେ ସ୍ଥାନ ଚିହ୍ନଟ ହୋଇଛି । ଐତିହ୍ୟ ଅଞ୍ଚଳ ବା ପୁରୁଣା ଭୁବନେଶ୍ୱର, ଇନଫୋସିଟି, ନନ୍ଦନକାନନ, ମାଷ୍ଟର୍ କ୍ୟାଣ୍ଟିନରୁ ବାଣୀବିହାର, ଏମ୍ସ ହସ୍ପିଟାଲରୁ ପାହାଳ ଯାଏଁ ରହିବ ଏକାଧିକ ଷ୍ଟେସନ୍ । ଷ୍ଟେସନ୍ଗୁଡ଼ିକ ମଧ୍ୟରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ ନିର୍ମାଣ ହେବ ।
ସ୍ୱଳ୍ପ ଦୂରତ୍ୱ ବିଶିଷ୍ଟ ରାଇଡ୍ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ । ସାଇକଲ୍ ସେୟାରିଂ ପାଇଁ ଗୋଟିଏ ଷ୍ଟେସନ୍ରୁ ସାଇକଲ୍ ସଂଗ୍ରହ କରିବା କରିବା ପରେ ଆବଶ୍ୟକ ସ୍ଥଳେ ଅନ୍ୟ ଷ୍ଟେସନ୍ରେ ଏହାକୁ ଫେରାଇ ହେବ । ଯଦି ଗନ୍ତବ୍ୟସ୍ଥଳ ମଧ୍ୟରେ ସାଇକେଲ ଷ୍ଟେସନ ନ ରଖିହେବ ତେବେ ଯେ କୌଣସି ସ୍ଥାନରେ ସାଇକେଲ୍ ଛାଡ଼ିକି ଯାଇହେବ । ଏହାଦ୍ୱାରା ସାଇକେଲ୍ ଫେରାଇବା ପାଇଁ ଅଯଥାରେ ସଂଗୃହୀତ ସ୍ଥାନକୁ ଫେରିବାକୁ ପଡ଼ିବ ନାହିଁ ।
ବିଏମ୍ସି ଅଞ୍ଚଳ ବାହାରେ ସାଇକେଲ୍ ଗଡ଼ିବନି, ଜିପିଏସ୍ ଟ୍ରାକିଂ ହେବ –
ସାଇକେଲ୍ ନେବା ପାଇଁ କୌଣସି ପ୍ରକାର ନଗଦ କାରବାର କରିବାକୁ ପଡ଼ିବ ନାହିଁ । ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟାରେ ହେବ ସାଇକେଲ୍ ସେୟାରିଂ ବ୍ୟବସ୍ଥା। ଆର୍ଏଫ୍ଆଇଡି ଦ୍ୱାରା ଟ୍ୟାଗ୍ ହୋଇଥିବା ସାଇକେଲ୍ଗୁଡ଼ିକୁ ଚୋରି କରି ହେବନାହିଁ । ଜିପିଏସ୍ ପଦ୍ଧତିରେ ସାଇକେଲ୍ କେଉଁଠି ଅଛି ଟ୍ରାକ୍ କରିହେବ ।
ସାଇକେଲ୍ଗୁଡ଼ିକ କେବଳ ବିଏମ୍ସି ଅଞ୍ଚଳ ଭିତରେ ଗଡ଼ିବ। ଏଥିପାଇଁ ବିଏମ୍ସି ଅଞ୍ଚଳକୁ ଇ-ଫେନ୍ସିଂ କରାଯାଇଛି। ଏହି ଅଞ୍ଚଳ ବାହାରକୁ ସାଇକେଲ୍ ଯାଇପାରିବ ନାହିଁ । ଯଦି କେହି ଭୁଲ୍ବଶତଃ ସାଇକେଲ୍ ନେବେ ତେବେ ସୀମା ପାର୍ ହେବା କ୍ଷଣି ସାଇକେଲ୍ ଲକ୍ ହୋଇଯିବ । ସାଇକେଲ୍ଗୁଡ଼ିକ ଜିପିଏସ୍ ଟ୍ରାକିଂ ହେବାକୁ ଥିବାରୁ ସାଇକେଲଗୁଡ଼ିକ ଉପରେ ୨୪ଘଣ୍ଟିଆ ନଜର ରହିବ । ଏପରିକି ଯଦି କେହି ଯେ କୌଣସି ସ୍ଥାନରେ ସାଇକେଲ୍ ଛାଡ଼ିକି ଯିବେ ତେବେ ସେଠାରୁ ଆଣିବା ବ୍ୟବସ୍ଥା ସାଇକେଲ ଯୋଗାଣ ସଂସ୍ଥା କରିବ । ରାଜଧାନୀବାସୀଙ୍କୁ ସୁହାଇବା ଭଳି ତଥା ଅଣ-ମୋଟର ଚାଳିତ ଯାନର ପ୍ରଚଳନ ପାଇଁ ସାଇକେଲ୍ ସେୟାରିଂ ଏକ ଅଭିନବ ଯୋଜନା ହୋଇଥିବା ବେଳେ ସହଯୋଗିତା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି । ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍ ବ୍ୟବହାର କରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଏଥିପାଇଁ ସାମାଜିକ ସଂସ୍ଥା, ସାଇକେଲ କ୍ଲବ୍ ତଥା ଶିକ୍ଷାନୁଷ୍ଠାନସ୍ତରରେ ସଚେତନ କାର୍ଯ୍ୟକ୍ରମ ହେବ । ସାଇକେଲ୍ ଚାଳନା ଯୋଗୁ ପରିବେଶ ଉପାଦେୟତା ବୃଦ୍ଧି ପାଇବା ସହ ବ୍ୟକ୍ତିଗତ ଭାବରେ ଏହା ସ୍ୱାସ୍ଥ୍ୟ ଅନୁକୂଳ ବୋଲି ଜନସାଧାରଣଙ୍କୁ ଅବଗତ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୧୦୦୦ ସାଇକେଲ ଗଡ଼ିବ –
ଜାନୁଆରିରୁ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦୦ଟି ସାଇକେଲ୍ ଆସିବ । ଏଥିରୁ ୫୦୦ଟି ଇଲେକ୍ଟ୍ରିକ୍ ଏବଂ ୫୦୦ଟି ମାନୁଆଲ୍ ସାଇକେଲ୍ ରହିବ । ପ୍ରକଳ୍ପ ଆରମ୍ଭ ହେବାର ୬ମାସ ମଧ୍ୟରେ ୭୫୦ଟି ସାଇକେଲ୍ ଆଣିବାକୁ କୁହାଯାଇଥିବାବେଳେ ୧୦ମାସ ମଧ୍ୟରେ ୧୦୦୦ଟି ଯାକ ସାଇକେଲ୍ ରାସ୍ତାରେ ଗଡ଼ିବ ।
ସହିଦନଗର ଓ ଇନଫୋସିଟିରେ ହେବ ହବ୍
ସେଇକେଲ୍ ଭଡ଼ାରେ ଦେବା ପାଇଁ ଏବଂ ଠିକ୍ ପରିଚାଳନା ପାଇଁ ସହିଦନଗର ଏବଂ ଇନଫୋସିଟିରେ ହେବ ପ୍ରକଳ୍ପ ଅଞ୍ଚଳ । ଏହିଠାରୁ ପୂରା ପ୍ରକଳ୍ପକୁ ମନିଟରିଂ କରାଯିବ । ଏଠାରେ ସାଇକେଲ ସଫା କରିବାଠାରୁ ଆରମ୍ଭ କରି ମରାମତି, ପାର୍କିଂ, ଚାର୍ଜିଂ ବ୍ୟବସ୍ଥା ରହିବ । ଏହାବାଦ୍ ପ୍ରତ୍ୟେକ ଡକିଂ ଷ୍ଟେସନରେ ପାର୍କିଂ ଓ ଚାର୍ଜିଂ ବ୍ୟବସ୍ଥା ରହିବ । ଏଠାରେ ଜଣେ ସୁବିଧାରେ ଇଲେକ୍ଟ୍ରିକ୍ ସାଇକେଲ୍ ଚାର୍ଜିଂ କରିପାରିବେ ।
କାର୍ଡ ପେମେଣ୍ଟ ପାଇଁ ସୁବିଧା ରହିବ
ଏହି ସାଇକେଲ୍ ଯେଉଁମାନେ ଭଡ଼ାରେ ନେବେ ସେମାନଙ୍କୁ କାର୍ଡରେ ଦେୟ ସଂଗ୍ରହ ହେବ । ଏଥିପାଇଁ ପ୍ରଥମେ ଏକ କାର୍ଡ କିଣିବାକୁ ହେବ । ଏହି କାର୍ଡ ରିଚାର୍ଜ କରିବା ପରେ ସାଇକେଲ୍ ଭଡ଼ାରେ ମିଳିବ । ସାଇକେଲ୍ ଫେରାଇବା ପରେ ଯେତିକି ଭଡ଼ା ହୋଇଥିବ ତାହା କାର୍ଡରୁ କଟିଯିବ । ପରବର୍ତ୍ତୀ ସମୟରେ ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହେବାକୁ ଥିବା କମନ୍ କାର୍ଡ ପେମେଣ୍ଟ ବ୍ୟବସ୍ଥାରେ ଏହାକୁ ସାମିଲ୍ କରାଯିବ ।