ରାଜନୈତିକ ଦଳର ମିଛ ଇସ୍ତାହାର ଶୁଣିବେ ନାହିଁ ଆଦିବାସୀ ମଣିଷ ! ରାଜନୈତିକ ଦଳମାନଙ୍କୁ ନିଜ ଦାବି ଜଣାଇବା ପାଇଁ ଭୁବନେଶ୍ୱର ଅଭିମୁଖେ ଭୋଟରଙ୍କ ସାଇକେଲ ରାଲି ।

ଆଗମି ନିର୍ବାଚନ ଲାଗି ରାଜନୌତିକ ଦଳ ଅଂଟା ଭିଡୁ ଥିବା ବେଳେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏବେ ଭୋଟର ମାନେ ମଧ୍ୟ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି ।

119
କନକ ବ୍ୟୁରୋ: ଆମ ଭୋଟ ଆମ ଇସ୍ତାହାର । ଆଗମି ନିର୍ବାଚନ ଲାଗି ରାଜନୌତିକ ଦଳ ଅଂଟା ଭିଡୁ ଥିବା ବେଳେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏବେ ଭୋଟର ମାନେ ମଧ୍ୟ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ରାଜନୈତିକ ଦଳ ଗୁଡିକ ଭୋଟ ଆଗରୁ ଫାଙ୍କା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରି ଭୋଟରଙ୍କୁ ଆକୃଷ୍ଟ କରୁଥିବା ବେଳେ ଏବେ ଭୋଟର ମାନେ କିନ୍ତୁ ନିଜ ଦାବୀକୁ ରାଜନୈତିକ ଦଳର ଇସ୍ତାହାରରେ ସ୍ଥାନ ଦେବା ଲାଗି ଆଗେଇ ଆସିଛନ୍ତି । ଏଥିପାଇଁ ସୁଦୁର ମାଲକାନଗିରିରୁ ନିଜ ସମସ୍ୟା ନେଇ ରାଜଧାନୀ ଅଭିମୁଖେ ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି ମାଲକାନଗିରି ଜିଲ୍ଲା ସମେତ ୧୫ଟି ଜିଲ୍ଲାର ଭୋଟର ।
ରାଜନୈତିକ ଦଳଙ୍କ ମିଛ ଇସ୍ତାହାର ଶୁଣିବେ ନାହିଁ ଆଦିବାସୀ ମଣିଷ । ନିଜ ଅଂଚଳର ସମସ୍ୟା ଓ ଦାବିକୁ ରାଜନୈତିକ ଦଳମାନଙ୍କ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ପାଇଁ ଅଂଟା ଭିଡିଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ସଙ୍ଗଠନ । ନିଜ ଦାବୀ ସମ୍ବଳିତ ପ୍ଲାକାର୍ଡ ଧରି ମାଲକାନଗିରିରୁ ରାଜଧାନୀ ଭୁବନଶ୍ୱର ଅଭିମୁଖେ ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି ଭୋଟର । ମାଲକାନଗିରି ସମେତ ୧୫ଟି ଜିଲ୍ଲାର ଆଦିବାସୀ ଭୋଟର ବିର୍ସା ମୁଣ୍ଡା ଜୟନ୍ତୀରୁ ଶୋଭାଯାତ୍ରାରେ ବାହାରିଥିବା ବେଳେ ବିଶ୍ୱ ମାନବାଧିକାର ଦିବାସରେ ଭୁବନେଶ୍ୱରରେ ଏକାଠି ହେବେ । ଏବଂ ସମସ୍ତ ରାଜନୈତିକ ଦଳମାନଙ୍କୁ ଭେଟି ନିଜ ଦାବୀ ସମ୍ପର୍କରେ ଜଣାଇବା ସହ ସେଗୁଡିକୁ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ପାଇଁ ଦାବି କରିବେ ।
ସୂଚନା ଅନୁଯାୟୀ, ୧୦ ଏକର ଲେଖାଏ ଜଙ୍ଗଲ ଜମି ପଟ୍ଟା, ପଟ୍ଟାରୁ ରୁଣ ସୁବିଧା, ଜାତି ପ୍ରମାଣ ପତ୍ର ପ୍ରଦାନ, ମାସିକ ଭତା ବୃଦ୍ଧି, ବେକାରୀ ଯୁବକ ଯୁବତୀଙ୍କୁ କର୍ମ ଯୋଗାଇବା ଏସବୁ ଦାବି ପୁରଣ ନହେଲେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ଶ୍ରମଜୀବି ସଙ୍ଗଠନର କର୍ମକର୍ତାମାନେ । ୧୫ଟି ଜିଲ୍ଲାର ଶ୍ରମଜୀବୀ ସଙ୍ଗଠନର କର୍ମକର୍ତାମାନେ ପ୍ରତି ବ୍ଲକ ଓ ଗାଁ ଗଣ୍ଡାରେ ସଭା ସମିତି କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପ୍ରଥମେ ଜିଲ୍ଲା ସ୍ତରରେ ରାଜନେତାଙ୍କୁ ଜଣାଇବା ପରେ ଆରମ୍ଭ ହୋଇଛି ରାଜଧାନୀ ଚାଲୋ ଅଭିଯାନ । ତେବେ ମାଲକାନଗିରିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ବାଦ ଦେଲେ ଅନ୍ୟ କୌଣସି ରାଜନେତା ଆଦିବାସୀ ଭୋଟରଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନଥିଲେ ।