ସ୍ମାର୍ଟସିଟିରେ ସ୍ମାର୍ଟ ବ୍ୟବସ୍ଥା ! ଭୁବନେଶ୍ୱରବାସୀଙ୍କୁ ଭଡ଼ାରେ ମିଳିବ ୫୦ ହଜାର ଟଙ୍କାର ସାଇକେଲ, ପ୍ରଥମ ୩୦ ମିନିଟ ପାଇଁ ମାଗଣା

62

କନକ ବ୍ୟୁରୋ : ସ୍ମାର୍ଟସିଟିରେ ସ୍ମାର୍ଟ ବ୍ୟବସ୍ଥା । ରାଜଧାନୀ ଭୁବନେଶ୍ୱରକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ଏବଂ ଭିଡ ନିୟନ୍ତ୍ରଣ ପାଇଁ ବିଏମସି ଆଣିବାକୁ ଯାଉଛି ସାଇକେଲ ସେୟାରିଂ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ ଆପଣ ଭଡ଼ାରେ ସାଇକେଲ ନେଇ ଭୁବନେଶ୍ୱର ବୁଲି ପାରିବେ । ଆଉ ନିଜ କାମ ସରିଗଲା ପରେ କିଛି ଭଡ଼ା ଦେଇ ସାଇକେଲ ଫେରାଇ ପାରିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ରୁଟ୍ ଚିହ୍ନଟ ହୋଇଛି ।

ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ ଏବଂ ଭିଡ ରୋକିବା ପାଇଁ ମହାନଗର ନିଗମ ପ୍ରଶାସନ ଆଣିବାକୁ ଯାଉଛି ଏକ ନୂଆ ବ୍ୟବସ୍ଥା । ବିଦେଶରେ ଯେମିତି ସାଇକେଲିଂର ବ୍ୟବସ୍ଥା ରହିଛି, ଠିକ୍ ସେଭଳି ବ୍ୟବସ୍ଥା କରିବାକୁ ଯାଇଛି ବିଏମ୍ସି । ସଚିବାଳୟରେ ବସିଥିବା ବୈଠକରେ ସ୍ଥିର ହୋଇଛି ରୁପରେଖ ।

ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟରେ ସେୟାରିଂ ସାଇକେଲ ଚଳାଇବା ପାଇଁ ଚିହ୍ନଟ ହୋଇଛି ରାସ୍ତା । ପ୍ରଥମ ରୁଟଟି ବିମାନବନ୍ଦରରୁ ଆରମ୍ଭ ହୋଇ, ଏଜି ଛକ, ଆଚାର୍ଯ୍ୟ ବିହାର, ଓମଫେଡ୍ ଛକ ଦେଇ କିଟ୍ ଛକରେ ପହଂଚିବ । ସେହିପରି ଦ୍ୱିତୀୟ ରୁଟ୍ ଗଭର୍ଣ୍ଣର ଛକରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ ଦେଇ ଜୟଦେବ ବିହାରରେ ପହଂଚିବ । ତୃତୀୟ ରୁଟଟି ଏଜି ଛକରୁ ବାହାରି ଜନପଥ ରାସ୍ତା ଦେଇ ବାଣୀବିହାର ଛକରେ ପହଂଚିବ ।

ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ହକି ବିଶ୍ୱକପ୍ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଉ ଏଥିପାଇଁ—
-ପ୍ରଥମ ପର୍ଯ୍ୟାୟରେ ଆସିବ ୨ରୁ ଅଢ଼େଇ ହଜାର ସାଇକେଲ
– ମୁଖ୍ୟ ରାସ୍ତାଗୁଡ଼ିକରେ ହେବ ୪୦ କିଲୋମିଟର ସାଇକେଲ ଟ୍ରାକ୍
-୩ଟି ରୁଟରେ ଯାତାୟତ କରିପାରିବ ଏହି ସାଇକେଲିଂ ବ୍ୟବସ୍ଥା
-ପ୍ରଥମ ୩୦ ମିନିଟ୍ ପାଇଁ ଦେବାକୁ ପଡ଼ିବନି କୌଣସି ଭଡ଼ା
-୩୦ ମିନିଟରୁ ଅଧିକ ସମୟ ପାଇଁ ଦେବାକୁ ପଡ଼ିବ ନିର୍ଦ୍ଧରିତ ଭଡ଼ା
ସାଇକେଲ ଗୁଡ଼ିକରେ ଲାଗିବ ଜିପିଏସ ବ୍ୟବସ୍ଥା, ଯାହା ସାହାର୍ଯ୍ୟରେ ସାଇକେଲ ଏବଂ ସାଇକେଲ ନେଇ ଯାଉଥିବା ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯିବ ।