ସାଇକେଲକୁ ଧକ୍କା ଦେଲା ବିଏମଡବଲୁ ! ଗାଡିରେ ହୋଇଥିବା ଦାଗ ପାଇଁ ସାଇକେଲ ଚାଳକଠାରୁ କାର ମାଲିକ ନେଲେ ୭୦୦ ଟଙ୍କା ଜୋରିମାନା

ବିଏମଡବ୍ଲୁ କାର୍ ସହ ସାଇକେଲ୍

283

କନକ ବ୍ୟୁରୋ : ପଞ୍ଜାବର ମୋହାଲି ସହରରେ ଏକ ବିଏମଡବଲୁ କାର୍ ସହ ସାଇକେଲ୍ ଧକ୍କା ହେବା ପରେ ସାଇକେଲ୍ ଚାଳକଙ୍କୁ ୭୦୦ ଟଙ୍କା ହରାଇବାକୁ ପଡ଼ିଛି। କୋଟିପତି କାର୍ ମାଲିକ ଜବରଦସ୍ତ ତାଙ୍କୁ ଧକ୍କା ମାରି ପେଲାଠେଲା କରିବା ପରେ ୭୦୦ ଟଙ୍କା ଛଡ଼ାଇ ନେଇଛନ୍ତି। ଏହି ଘଟଣା ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସହରର ଡେରାବାସିରେ ଏହି ଘଟଣା ବେଳେ ସାଇକେଲ୍ ଚାଳକ ଥାନାରେ ଏତଲା ଦେବା ପରେ ଏହା ଲୋକଲୋଚନକୁ ଆସିଛି।

 

ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଡେରାବାସି ଅନ୍ତର୍ଗତ ଗୋଲୋମାଜରା ଗ୍ରାମ ନିବାସୀ ପ୍ରଦୀପ କୁମାର (୩୨) ଅକ୍ଟୋବର ୩ରେ ନିଜ ସାଇକେଲରେ ମୁବାରକପୁର ଆଡ଼କୁ ଯାଉଥିଲେ। ଘାଗର ବ୍ରିଜ୍ ନିକଟରେ ହୋଇଥିବା ବେଳେ ଏକ ବିଏମଡବଲୁ କାର୍ (ନମ୍ବର ସିଏଚ୍-୦୪-ବି-୭୭୭୮) ଆସି ଧକ୍କା ଦେଇଥିଲା। ଏହାଦ୍ବାରା କାରରେ ସାମାନ୍ୟ ଦାଗ ସୃଷ୍ଟି ହୋଇଥିଲା। ଏହାପରେ ଚଣ୍ଡିଗଡ଼ ନିବାସୀ କାର୍ ମାଲିକ ଏନ୍ନାଇତେ ଅଗ୍ରୱାଲ୍ ଉତକ୍ଷିପ୍ତ ହୋଇ କାରରୁ ଓହ୍ଲାଇଥିଲେ। ସାଇକେଲ୍ ଚାଳକ ପ୍ରଦୀପଙ୍କୁ ମନଇଚ୍ଛା ଗାଳି କରିବା ସହିତ ଧକ୍କା ମାରିଥିଲେ।

ଏହାପରେ ତାଙ୍କ ପକେଟରୁ ୭୦୦ ଟଙ୍କା ନେଇଯାଇଥିଲେ। ଏମିତି କି ତାଙ୍କ ହାତଘଣ୍ଟାକୁ ମଧ୍ୟ ଛଡ଼ାଇ ନେଇଯାଇଥିଲେ। ଏହି ସମୟରେ ଅନ୍ୟ ଏକ କାରରେ ଯାଉଥିବା ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରେ ଗାଡ଼ି ରଖି ପ୍ରଦୀପଙ୍କୁ ଉଦ୍ଧାର କରିଥିଲେ। ମୋହାଲି ଏଏସପି ହର୍ମନ୍ଦୀପ୍ ହଂସ କହିଛନ୍ତି, ପ୍ରଦୀପ ନିଜ ଅଭିଯୋଗରେ ଯାହା ସବୁ ଦର୍ଶାଇଛନ୍ତି, ତାହା ସମ୍ପୂର୍ଣ୍ଣ ସତ୍ୟ। ତେବେ ଆଇପିସି ଧାରା ୩୨୩, ୩୪୧ ଓ ୩୯୨ ଆଧାରରେ ଅଭିଯୁକ୍ତ ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।