ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ପଂଚମ ସ୍ୱର୍ଣ୍ଣ ! ଭାରୋତ୍ତଳନର ୬୯ କିଲୋଗ୍ରାମ ବର୍ଗରେ ପୁନମ ଯାଦବ ଜିତିଲେ ପଦକ

29

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟଙ୍କ କମାଲ । ପୁଣି ସୁନା ଆଣିଲେ ଦୁଇ କ୍ରୀଡାବିତ୍ । ଆଜି ସକାଳୁ ସକାଳୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଭାରତ ପାଇଁ ଆସିଛି ଖୁସି ଖବର । ଅଷ୍ଟ୍ରେଲିଆ ଗୋଲ୍ଡକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଦୁଇଜଣ ଖେଳାଳି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହା ସହ ଜଣେ ରୌପ୍ୟ ଓ ୨ ଜଣ କାଂସ୍ୟ ପଦକ ଜିତିଛନ୍ତି । ଭାରୋତଳନରେ ପୁନମ୍ ଯାଦବ ଓ ସୁଟିଂରେ ମନୁ ଭାକର ସ୍ୱର୍ଣ୍ଣପଦକ ଜିଣିଛନ୍ତି । ୬୯ କେଜି ବର୍ଗରେ ମୋଟ ୨୨୨ କିଲୋ ଉଠାଇ ଦେଶ ପାଇଁ ସଫଳତା ଆଣିଛନ୍ତି ପୁନମ୍ । ଏଥି ମଧ୍ୟରୁ ସ୍ନାଚ୍ରେ ୧୦୦ କିଲୋ ଏବଂ କ୍ଲିନ୍ ଏଣ୍ଡ ଜର୍କରେ ୧୨୨ କିଲୋ ଓଜନ ଉଠାଇ ସୁନା ହାତେଇଛନ୍ତି ପୁନମ୍ ଯାଦବ । ଏହା ସହ ମହିଳା ସୁଟିଂରେ ମଧ୍ୟ ଭାରତ ପାଇଁ ସ୍ୱର୍ଣପଦକ ହାସଲ କରିଛନ୍ତି ସୁନା ଝିଅ ମନୁ ଭାକର । ୧୧୦ ମିଟର ଏୟାର ପିସ୍ତଲରେ ସୁନା ହାତେଇ ଦେଶ ପାଇଁ ଗୌରବ ଆଣିଛନ୍ତି ମନୁ । ସେହି ୧୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ହାସଲ କରିଛନ୍ତି ସୁଟର ହିନା ସିଦ୍ଧୁ । ଏହା ସହ ୧୦ ମିଟର ଏୟାର ପିସ୍ତଲ ପୁରୁଷ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ସୁଟର ରବି କୁମାର । ସେହିପରି ଭାରତୋଳନରେ ବିକାଶ କୁମାର ବ୍ରୋଂଜ ପଦକ ହାସଲ କରିଛନ୍ତି । ଆଜିର ପଦକକୁ ମିଶାଇ କମନୱେଲ୍ଥ ଗେମ୍ରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୬ ଓ ମୋଟ ପଦକ ସଂଖ୍ୟା ୧୧ରେ ପହଂଚିଛି ।

ଶିବଲିଙ୍ଗମଙ୍କ ଭାରତୀୟ କୀର୍ତ୍ତିମାନ ରାହୁଲଙ୍କ ପ୍ରଥମ ସ୍ୱର୍ଣ୍ଣ

ତାମିଲନାଡୁ ଯୁବକ ଶିବଲିଙ୍ଗମ ନିଜ ବର୍ଗରେ ଗତକାଲି ପୂରା ଆଧିପତ୍ୟ ବିସ୍ତାର କରିଥିଲେ । ଏପରିକି କ୍ଲିନ୍ ଆଣ୍ଡ ଜର୍କର ପ୍ରଥମ ଦୁଇ ପ୍ରୟାସ ପରେ ହିଁ ସେ ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ। ଫଳରେ ତାଙ୍କୁ ତୃତୀୟ ପ୍ରୟାସ କରିବାର ଆବଶ୍ୟକତା ପଡ଼ି ନଥିଲା। ସ୍ନାଚରେ ସେ ୧୩୬, ୧୪୦ ଏବଂ ୧୧୪ କିଲୋଗ୍ରାମ ଭାର ଉତ୍ତୋଳନ କରିଥିଲେ। ହେଲେ କ୍ଲିନ୍ ଆଣ୍ଡ ଜର୍କରେ ୧୬୯ ଏବଂ ୧୭୩ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ କବଜା କରି ନେଇଥିଲେ। ଅଷ୍ଟ୍ରେଲିଆର ଫ୍ରାନସିସ୍ ଏତୋଉଣ୍ଡି (୩୦୫) ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ହେଲେ ଶେଷ ପ୍ରୟାସ ପରେ ଫ୍ରାନସିସ୍ ଗୁରୁତର ଭାବେ ଆହତ ହୋଇ ଯାଇଥିଲେ । ସତୀଶ ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ସଂସ୍କରଣରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେଥିପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଗାତାର ଦୁଇଟି ସଂସ୍କରଣରେ ସ୍ୱର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଭାରୋତ୍ତୋଳକ ହୋଇଥିଲେ।

ଆନ୍ଧ୍ରପ୍ରଦେଶ ତାରକା ରାଗଲା ଭେଙ୍କଟ ରାହୁଲ ଶନିବାର ୮୫ କିଲୋଗ୍ରାମ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସ୍ୱର୍ଣ୍ଣ ଏବଂ ଭାରୋତ୍ତୋଳନରୁ ଷଷ୍ଠ ପଦକ ଥିଲା। ରାହୁଲ ଗତକାଲି ଜି ମୋଟ ଉପରେ ୩୩୮ କିଲୋଗ୍ରାମ (ସ୍ନାଚ୍ ୧୫୧ ଏବଂ କ୍ଲିନ୍ ଆଣ୍ଡ ଜର୍କ ୧୮୭) ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ରାହୁଲ ସ୍ନାଚରେ କରିଥିବା ପ୍ରଥମ ପ୍ରୟାସରେ ୧୪୭ ଏବଂ ତୃତୀୟରେ ୧୫୧ କିଲୋଗ୍ରାମ ଊଠାଇଥିଲେ। ଦ୍ୱିତୀୟ ପ୍ରୟାସରେ ସେ ବିଫଳ ହୋଇଥିଲେ। ସେହିଭଳି କ୍ଲିନ୍ ଆଣ୍ଡ ଜର୍କରେ ୧୮୨ କିଲୋଗ୍ରାମ ଭାର ଉଠାଇ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଥିଲେ। ୨୦ ବର୍ଷୀୟ ରାହୁଲ ଗତବର୍ଷ ରାଜ୍ୟଗୋଷ୍ଠୀ ବରିଷ୍ଠ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତି ଗୋଲ୍ଡ କୋଷ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ବ୍ୟାଡମିଣ୍ଟନ ସେମିରେ ଭାରତ

ଗ୍ରୁପ୍ ପର୍ଯ୍ୟାୟରେ ଶ୍ରୀଲଙ୍କା, ପାକିସ୍ତାନ ଓ ସ୍କଟଲାଣ୍ଡକୁ ସମାନ ୫-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ମିଶ୍ରିତ ଦଳ ଶନିବାର କ୍ୱାର୍ଟର ଫାଇନାଲରେ ମରିସସକୁ ୩-୦ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି । ଆଜି ସେମିଫାଇନାଲରେ ଭାରତର ମୁକାବିଲା ସିଙ୍ଗାପୁର ସହ ହେବ। ଭାରତକୁ ୩-୦ରେ ଅଗ୍ରଣୀ ହେବା ପରେ ମହିଳା ଏକକରେ ସାଇନା ନେହ୍ଵାଲ ଆଉ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଓହ୍ଲାଇନଥିଲେ।

ମୁଷ୍ଟିଯୁଦ୍ଧରେ ଦବ୍ଦବା ଜାରି

ଗୋଲ୍କୋଷ୍ଟରେ ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଦବଦବା ଜାରି ରଖିଛନ୍ତି। ଶୁକ୍ରବାର ଅମିତ୍ ପଙ୍ଗଲ୍ (୪୯ କେଜି) ଏବଂ ନମନ ତନଓ୍ଵର (୯୧ କେଜି) ନିଜ ନିଜର ପ୍ରଥମ ବାଉଟ୍ ଜିତି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲା ବେଳେ ଶନିବାର ଅଭିଜ୍ଞ ଏଲ୍ ସରିତା ଦେବୀ (୬୦ କେଜି) ଓ ମନୋଜ କୁମାର (୫୯ କେଜି)ଙ୍କ ସାଙ୍ଗକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ କରିଥିବା ମହମ୍ମଦ ହୁସାମୁଦ୍ଦିନ୍ (୫୬ କେଜି) ମଧ୍ୟ ବିଜୟ ଅଭିଯାନ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ପ୍ରମୁଖ ପଦକ ଦାବିଦାର ଏମ୍ସି ମେରିକମ୍ ଅଭିଯାନ ଆରମ୍ଭ କରିବେ। ଟେୁବଲ ଟେନିସ୍ (ଟିଟି)ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟର ଫାଇନାଲରେ ଉଭୟ ଦଳ ସମାନ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆକୁ ୩-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରି ଦେଇଛନ୍ତି। ମହିଳାରେ ମନିକା ବାତ୍ରା, ମାଧୁରିକା ପଟକର ଏକକରେ ଏବଂ ପଟକର-ମୌମା ଦାସ ଯୁଗଳରେ ଜିତିଥିଲା ବେଳେ ପୁରୁଷରେ ହର୍ମିତ୍ ଦେଶାଇ, ଅଚନ୍ତ ଶରତ କମଲ୍ ଏକକରେ ଏବଂ ଦେଶାଇ-ସାଥୀୟାନ୍ ଜ୍ଞାନଶେଖରନ୍ ଯୋଡ଼ି ଯୁଗଳରେ ବିଜୟ ହାସଲ କରିଥିଲେ।