କଟକରେ ଘରୋଇ ପରୀକ୍ଷା ସେଂଟରରେ ଜୀବନ ସହ ଖେଳ ! ପୁରୁଷ ରୋଗୀଙ୍କ ଅଲଟ୍ରାସାଉଣ୍ଡ ହେଲା, କିନ୍ତୁ ଆସିଲା ମହିଳା ରୋଗୀଙ୍କ ରିପୋର୍ଟ

45

କନକ ବ୍ୟୁରୋ : ପୁରୁଷ ରୋଗୀଙ୍କ ନାଁରେ ମହିଳା ରୋଗୀଙ୍କ ରିପୋର୍ଟ । ଏପରି ଘଟଣା ଘଟିଛି କଟକର ଏକ ପ୍ରମୁଖ ଘରୋଇ ପରୀକ୍ଷା କେନ୍ଦ୍ର ଇକୋ ଇମେଜିଂ ସେଂଟରରେ । ଯାଜପୁର ଅରିଲୋରୁ ସୌମ୍ୟ ପ୍ରକାଶ ସାମଲଙ୍କ ପେଟ ଦରଜ ହେବାରୁ ଡା. ଉମେଶ ଚନ୍ଦ୍ର ପାତ୍ରଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ଅଲଟ୍ରାସାଉଣ୍ଡ କରିବାକୁ ଏହି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଲା, ସୌମ୍ୟ ପ୍ରକାଶ ପୁରୁଷ ହୋଇଥିବାବେଳେ ତାଙ୍କ ରିପୋର୍ଟରେ ୟୁଟ୍ରସ ଓ ଓଭାରି ସାଇଜ୍ ଉଲ୍ଲେଖ ରହିଥିଲା ।

ଏହାକୁ ନେଇ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷଙ୍କୁ ପଚାରିବାରୁ ରିପୋର୍ଟ ଛଡାଇ ନେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ରୋଗୀ ଏବଂ ତାଙ୍କ ସଂପର୍କୀୟ ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପରୀକ୍ଷା କେନ୍ଦ୍ରର ମ୍ୟାନେଜର ଦୋଷ ସ୍ୱୀକାର କରିବା ସହ ଏହା ଡାକ୍ତରଙ୍କ ଭୁଲ ବୋଲି ସଫେଇ ଦେଇଛନ୍ତି । ଅନ୍ୟପଟେ ସେଂଟର କର୍ମଚାରୀ ଧମକ ଦେବା ବିଷୟରେ ସେ ଜାଣି ନଥିବା କହିଛନ୍ତି । ଏହି ରିପୋର୍ଟରେ ରେଡିଓଲଜିଷ୍ଟ ଡାକ୍ତର ସୁବ୍ରତ ରାଉତଙ୍କ ନାଁ ରହିଛି । ତେବେ ଘଟଣାର ତଦନ୍ତ ହେଲେ ସମସ୍ତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।