ସଫେଇ ନାଁରେ ବଳିପଡ଼ିଲା ୫୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ : ଜଳସେଚନ କାର୍ଯ୍ୟା‌ଳୟକୁ ଅନୁମତି ଦେଲେ କିଏ?

67

କନକ ବ୍ୟୁରୋ : କାର୍ଯ୍ୟାଳୟକୁ ସଫେଇ କରିବା ନାଁରେ ବଳି ପଡ଼ିଛି ୫୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ । ବାଲେଶ୍ବର ଜିଲ୍ଲା ଜଳସେଚନ ବିଭାଜନ କାର୍ଯ୍ୟାଳୟର ଏପରି ଦୃଶ୍ୟକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି । ଗଛ କାଟିବା ପୂର୍ବରୁ କାର୍ଯ୍ୟାଳୟ ଅଧିକ‌ାରୀ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ବନ ବିଭାଗ ଅଧିକାରୀଙ୍କ ଅନୁମତି ନେଇନଥିବା ଜଣାପଡ଼ିଛି ।

ବାଲେଶ୍ବର ଜିଲ୍ଲା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପଛପଟେ ଏକ ବିଶାଳ ପୋଖରୀ ରହିଛି । ଏହି ପୋଖରୀ ଚାରିପଟେ କାର୍ଯ୍ୟାଳୟ ପକ୍ଷରୁ ଶହଶହ ମୂଲ୍ୟବାନ ଗଛ ଲଗାଯାଇଥିଲା । ଏବେ ସେହି ଗଛଗୁଡ଼ିକ ବିଶାଳ ରୂପ ଧାରଣ କରିଥିବା ବେଳେ ଚତୁଃପାର୍ଶ୍ବ ପରିବେଶ ସବୁଜିମାରେ ଭରି ଦେଇଥିଲେ । ତେବେ ଦୀର୍ଘଦିନ ଧରି ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ସଫାସୁତୁରା ଅଭାବରୁ ଅନାବନା ଗଛରେ ପୂରି ଯାଇଥିଲା । ଏଥିପାଇଁ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ହୃଷୀକେଶ ଧଳଙ୍କୁ ଏହାର ସଫେଇ ଦାୟିତ୍ବ ଦିଆଯାଇଥିଲା ।

ତେବେ ସେ ପୋଖରୀ ଓ ଏହାର ଆଖାପାଖ ପରିବେଶକୁ ସଫା କରିବା ସହ ସେଠାରୁ ଜାମୁ, ଆକାଶିଆ, ଆମ୍ବ, ନିମ ଭଳି ୫୦ରୁ ଉର୍ଧ୍ବ ଗଛ କାଟି ସଫା କରି ପକାଇଛନ୍ତି । ଏପରିକି, ଡାଳ ଓ କଟା ଗଛର ମୂଳଗଣ୍ଡିଗୁଡ଼ିକୁ ନିଆଁ ଲଗାଇ ପୋଡ଼ିଦିଆଯାଇଛି । ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟାଳୟ ପଛପଟ ଦୀର୍ଘଦିନ ଧରି ଅନାବନା ଗଛରେ ଭର୍ତ୍ତି ହୋଇଥିଲା । ସେଗୁଡ଼ିକୁ ସଫା କରିବା ଲାଗି କିଛିଦିନ ପୂର୍ବରୁ ଜିଲ୍ଲା ଜଳସେଚନ ବିଭାଗର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ନିରଂଜନ ମହାଳିକ ତାଙ୍କୁ କହିଥିଲେ । ‌

ଅନ୍ୟପକ୍ଷରେ, ବର୍ତ୍ତମାନର ଭାରପ୍ରାପ୍ତ ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ଆର୍ତ୍ତତ୍ରାଣ ଧଳ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା ଜଣାପଡ଼ିଛି । ସେ କହିଛନ୍ତି ଯେ, ଏ ସମ୍ପର୍କରେ ସେ କିଛି ଜାଣିନାହାନ୍ତି କି ଗଛ କାଟିବା ପାଇଁ ତାଙ୍କଠାରୁ କେହି ଅନୁମତି ନେଇନାହାନ୍ତି । ଅନ୍ୟପକ୍ଷରେ ଗଛକଟାକୁ ନେଇ ବନ ବିଭାଗ କର୍ତ୍ତୃପକ୍ଷଠାରୁ ବୁଝିବାରୁ ତାଙ୍କଠାରେ ମଧ୍ୟ ଖବର ନଥିବା କହିଥିଲେ । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ଅପରାହ୍ନରେ ବନ ବିଭାଗର ଏକ ଟିମ୍‌ ଘଟଣା ସ୍ଥଳ ବୁଲି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।