ସହରୀ ସଭ୍ୟତାର ଚାକଚକ୍ୟକୁ ଛାଡି ନିଜ ଜନ୍ମମାଟିକୁ ବାଛି ନେଇଛନ୍ତି କର୍ମଭୂମି । ୪୪ବର୍ଷ ହେଲା ଗାଁଲୋକଙ୍କର କରୁଛନ୍ତି ମାଗଣାରେ ଚିକିତ୍ସା

1,796

କନକ ବ୍ୟୁରୋ: ସହରୀ ସଭ୍ୟତାର ଚାକଚକ୍ୟରେ ଗାଁ ଛାଡି ସହର ମୁହାଁ ଆଜିର ଉଚ୍ଚଶିକ୍ଷିତ । ହେଲେ ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଗାଁ ପ୍ରତି ରହିଛି ସେମାନଙ୍କର ସ୍ୱତନ୍ତ୍ର ଭଲପାଇବା । ଆଉ ଗାଁ ପାଇଁ କିଛି କରିବାକୁ ଦେଖିଛନ୍ତି ସ୍ୱପ୍ନ, ସୃଷ୍ଟି କରିଛନ୍ତି ଉଦାହରଣ । ସେହିଭଳି ଜଣେ ମଣିଷ ହେଉଛନ୍ତି କଟକ ଜିଲ୍ଲା ନିଆଳୀ  ବାହାରଣା ଗାଁର ଡ. ଅଧିରାଜ ପରିଡା  ।

ଏ ହେଉଛନ୍ତି ନିଆଳୀ  ବାହାରଣା ଗ୍ରାମର ଡ. ଅଧିରାଜ ପରିଡା  । ଆଜି କାଲିର ଚାକଚକ୍ୟ ଭରା ସହରୀ ସଭ୍ୟତାକୁ ଦେଖି ନୂଆପିଢ଼ିର ଡାକ୍ତରମାନେ ଗାଁକୁ ଭୁଲି ଯାଉଥିବାବେଳେ ଅଧିରାଜ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।  ସେ ୧୯୭୨ ମସିହାରେ ବୁର୍ଲା ମେଡିକାଲ କଲେଜରୁ ଡାକ୍ତରୀ ପଢ଼ା ସାରିବା ପରେ କର୍ମଭୂମି ଭାବେ ନିଜ ଜନ୍ମମାଟିକୁ ବାଛି ନେଇଥିଲେ । ଆଉ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ  ଗାଁରେ ରହି ଆରମ୍ଭ କରିଥିଲେ ମାଗଣା ଡାକ୍ତରୀ ସେବା । ଦୀର୍ଘ ୪୪ବର୍ଷ ଧରି ନିଜ ଗାଁ ଓ ଆଖପାଖ ଅଂଚଳର ଲୋକଙ୍କୁ ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି ।  କେହି କେହି ତାଙ୍କୁ ଗାଁ ଡାକ୍ତର ବୋଲି କୁହନ୍ତି ।

ଅଧିରାଜ କେବଳ ମାଗଣାରେ ଚିକିତ୍ସା ଯୋଗାଇ ଦେଉ ନାହାଁନ୍ତି  । ସେ ୯ଜଣ କର୍ମଚାରୀଙ୍କୁ ସ୍ଥାୟୀ ରୋଜଗାର ଯୋଗାଇ ଦେଇଛନ୍ତି । ଏଥିସହ ସେ ତାଙ୍କ ବାଡିରେ ବିଭିନ୍ନ ପନିପରିବା, ଫୁଲଫଳ ଚାଷ କରି ଜଣେ ସଫଳ ଚାଷୀର ମଧ୍ୟ ପରିଚୟ ଦେଇଛନ୍ତି । ତାଙ୍କୁ ଏସବୁ କାର୍ଯ୍ୟରେ ସହଯୋଗରେ ହାତ ବଢ଼ାଇଛନ୍ତି ତାଙ୍କ ପତ୍ନୀ ପୁଷ୍ପା ପରିଡା । ଅଧିରାଜଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ । ତେବେ ଅଧିରାଜଙ୍କ ଭଳି ଆଜିର ଡାକ୍ତରମାନେ ଯଦି ଗାଁରେ ରହି ଚିକତ୍ସା ସେବା ଯୋଗାଇ ଦେବେ, ତେବେ ରାଜ୍ୟର ସ୍ୱାସ୍ଥ୍ୟସେବାରେ ଏକ ବିରାଟ ପରିବର୍ତନ ଅନୁଭୂତ ହୋଇପାରିବ ।