ରାସନକାର୍ଡ଼ ପାଇଁ ତିନି ମାସ ଦୌଡ଼ିଲେ, ନମିଳିବାରୁ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ କଟକର ଜଣେ ମହିଳା

193

କନକ ବ୍ୟୁରୋ : ଗତ ତିନି ମାସ ହେଲା ରାସନକାର୍ଡ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଲା ପରେ କଟକର ଜଣେ ମହିଳା ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତାହା ପୁଣି ବ୍ଲକ୍ କାର୍ଯ୍ୟାଳୟ ଛାତରୁ। କଟକ ଜିଲ୍ଲା ନିଆଳି ବ୍ଲକ୍ ପରିସରରେ ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ମହିଳା ଜଣକ ହେଲେ କଟକ ଜିଲ୍ଲା ନିଆଳି ବ୍ଲକ ଏରଞ୍ଚ ପଞ୍ଚାୟତ ଭାଲିଆକଣ ଗ୍ରାମର ଚିତ୍ତରଂଜନ ମହାରଣାଙ୍କ ପତ୍ନୀ ବବିତା ।

ଅଭିଯୋଗ ଅନୁସାରେ, ବବିତା ଗତ ଡିସେମ୍ବର ମାସରେ ବିଡ଼ିଓ ସୟେଦ୍ ଆରିଫ୍ ହୋସେନଙ୍କୁ ଭେଟି ରାସନ୍ କାର୍ଡ ହିତାଧିକାରୀ ଭାବେ ଚୟନ କରିବା ପାଇଁ ଆବେଦନ କରିଥିଲେ । ବିଡ଼ିଓ ସେହି ଦରଖାସ୍ତ ଉପରେ ଦସ୍ତଖତ କରିବା ସହିତ ତଦନ୍ତ କରିବା ପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ସୁପାରିସ କରିଥିଲେ । ତେବେ ଯୋଗାଣ ଅଧିକାରୀ ଆଜି ପର‌୍ୟ୍ୟନ୍ତ ତଦନ୍ତ ନକରି ବବିତାଙ୍କୁ ବାରମ୍ବାର କାର‌୍ୟ୍ୟାଳୟକୁ ଦୌଡ଼ାଇଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ବବିତା ନିଜର ଶିଶୁ କନ୍ୟାକୁ ଧରି ଗତକାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଯୋଗାଣ ଅଧିକାରୀଙ୍କୁ ଦେଖା କରିଥିଲେ । ତାଙ୍କ କଥାବାର୍ତ୍ତାରେ ସନ୍ତୁଷ୍ଟ ନହୋଇ ବବିତା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଛାତ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କ ସମେତ ବିଜେଡ଼ି ନେତା ପ୍ରଶାନ୍ତ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ବିରତ କରାଇଥିଲେ । ଏ ସଂପର୍କରେ ବ୍ଲକ ଯୋଗାଣ ଅଧିକାରୀ ସୁଜାତା ମାଳି କୁହନ୍ତି, ‘ବବିତାଙ୍କ ଦରଖାସ୍ତ ପାଇଥିବା ବେଳେ ତାଙ୍କ ସଂପର୍କରେ ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ତାଙ୍କ ସଂପର୍କରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’